ଭକ୍ତ ପାଇଲେ ଆଡପ ଅବଢା
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ବୁଧବାର ଭକ୍ତ ଆଡ଼ପ ଅବଢ଼ା ପାଇଛନ୍ତି। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଅନ୍ନବ୍ୟଞ୍ଜନ ଅର୍ପଣ କରାଯାଇଛି। ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଭୋଗ କରାଯାଉଥିବା ଅନ୍ନବ୍ୟଞ୍ଜନ ଆଡ଼ପ ଅବଢ଼ା ଭାବେ ପରିଚିତ। ଗୁଣ୍ଡିଚା ମନ୍ଦିରରେ ଏକ ରୋଷଶାଳା ରହିଛି। ଶ୍ରୀମନ୍ଦିରର ସୁଆର ମହାସୁଆର ସେବକମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରୁଛନ୍ତି। ପୂଜାପଣ୍ଡା ସେବକଙ୍କ ଦ୍ୱାରା ତାହାକୁ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଗୋପାଳ ବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ, ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ କରାଯାଉଛି। ଆଡ଼ପ ଅବଢ଼ାରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ସେମାନଙ୍କୁ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଶ୍ରଦ୍ଧାଳୁମାନେ ବ୍ରାହ୍ମଣଙ୍କୁ ଆଡ଼ପ ଅବଢ଼ାରେ ଭୋଜନ ଦେଇଥାନ୍ତି। ଆଗାମୀ ୧୫ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିବ। ବାହୁଡ଼ା ଯାତ୍ରାଦିନ ସକାଳ ଧୂପରେ ଖେଚୁଡ଼ି ଖାଇ ଦାରୁବ୍ରହ୍ମ ରଥ ଉପରକୁ ପହଣ୍ଡି ବିଜେ କରିବେ।
Powered by Froala Editor