ଏସ୍ସିବିରେ ଥରକେ ହେବ ୨ଟି ଶବ ବ୍ୟବଚ୍ଛେଦ
କଟକ ଏସ୍ସିବି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଏବ ବଡ ସମସ୍ୟା । ମୃତକଙ୍କ ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ କରାଇବା ପାଇଁ ପୋଷ୍ଟମର୍ଟମ ରୁମ୍ ପାଖରେ ସକାଳୁ ସଞ୍ଜ ଯାଏ ଠିଆ ହେଉଛନ୍ତି । ଏମିତିକି ୨ ଦିନ ମଧ୍ୟ ବିତିଗଲେ ବି ବ୍ୟବଚ୍ଛେଦ ହୋଇପାରେନାହିଁ । ତରତର ହୋଇ ବ୍ୟବଚ୍ଛେଦ ହେଲେ ଏଣେ ପୁଲିସ ରିପୋର୍ଟ କରିବାରେ ସମସ୍ୟା । ତେଣୁ ଏହାର ସମାଧାନ ପାଇଁ ବର୍ଷ ବର୍ଷ ହେଲା ଦାବି ହୋଇଆସୁଥିଲା । ବିଳମ୍ବରେ ହେଉ ପଛେ ଏସ୍ସିବି କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି । ଏଣିକି ଏକାଥରକେ ଦୁଇଟି ଶବ ବ୍ୟବଚ୍ଛେଦ ହେବ ।
ସୂଚନା ଅନୁଯାୟୀ, ଗୋଟିଏ ଦିନରେ ଏସ୍ସିବିରେ ପାଖାପାଖି ୧୫ଟି ଶବ ବ୍ୟବଚ୍ଛେଦ ହେଉଛି । ଦିନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଏତେ ସଂଖ୍ୟକ ବ୍ୟବଚ୍ଛେଦ କରାଇବାରେ ଅସୁବିଧା ହେଉଛି । ତେଣୁ ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଦିନ ୧୦ଟାରୁ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ କରି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜାରି ରଖିବା ପାଇଁ ଏଫ୍ଏମ୍ଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଏକାବେଳକେ ୪/୫ଟି ଶବ ବ୍ୟବଚ୍ଛେଦ କରାଇବା ପରିବର୍ତ୍ତେ ଥରକେ ୨ଟି ଲେଖାଏଁ ଶବ ବ୍ୟବଚ୍ଛେଦ କରି ବାହାର କରିବା ପାଇଁ ନିଷ୍ପତ୍ତି ହୋଇଛି । ଦୁଇଟି ଶବ ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହକୁ ଯତ୍ନର ସହ ପଲିଥିନ୍ରେ ଗୁଡ଼ାଇ ପୁଲିସ୍କୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ସକାଳେ ବ୍ୟବଚ୍ଛେଦ ପାଇଁ ଯାଇଥିବା ମୃତଦେହ ଆଉ ଅପରାହ୍ନ ଯାଏ ପଡ଼ି ରହିବ ନାହିଁ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।
ଡାକ୍ତରଖାନା ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ସକାଳ ୬ରୁ ସନ୍ଧ୍ୟା ଏବଂ ପ୍ରତି ୪ ଘଣ୍ଟା ଅନ୍ତରରେ ଗୋଟିିଏ ସିଫ୍ଟରେ ଜଣେ ଡାକ୍ତର ଏବଂ ୨ ଜଣ ସୁଇପର ରହିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଏଫ୍ଏମ୍ଟି ବିଭାଗରେ ଡାକ୍ତର ଅଭାବ ଯୋଗୁଁ ଏହା ସମ୍ଭବପର ନୁହେଁ । ଏଣୁ ପାରିତ ହୋଇଥିବା ପ୍ରସ୍ତାବରେ ପରିବର୍ତ୍ତନ କରାଯାଇଛି । ଖାଲି ଥିବା ଡାକ୍ତର ପଦବି ପୂରଣ ସହ ଆଉ ଅଧିକ ଡାକ୍ତର ପଦବି ପୂରଣ ପାଇଁ ଡିଏମ୍ଇଟିଙ୍କୁ ଡାକ୍ତରଖାନା ପକ୍ଷରୁ ପ୍ରସ୍ତାବ ପଠାଯିବା ଲାଗି ନିଷ୍ପତ୍ତି ହୋଇଛି । ସେହିପରି ଡାକ୍ତରଖାନା ବ୍ୟବଚ୍ଛେଦ ପ୍ରକ୍ରିୟାରେ ସୁଇପରମାନଙ୍କ ଦ୍ୱାରା ଅନେକ କାର୍ଯ୍ୟ ହେଉଥିଲେ ହେଁ ଏଠାରେ ମାତ୍ର ୨ ଜଣ ଠିକା ସୁଇପର ଅଛନ୍ତି । ତେଣୁ ପୋଷ୍ଟମର୍ଟମ ଗୃହରେ ଆଉ ୪ ଜଣ ଠିକା ସୁଇପର ନିୟୋଜିତ କରାଇବା ପାଇଁ ନିଷ୍ପତ୍ତି ହୋଇଛି ।
Powered by Froala Editor