ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ଦାୟିତ୍ୱ ତୁଲାଇବେ ବନ୍ଦିତା

ବନ୍ଦିତା ପରିଡ଼ାଙ୍କୁ ନୂତନ ଦାୟିତ୍ୱ ମିଳିଛି । ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ହରିଆଣା ଓ ଅରୁଣାଚଳ ପ୍ରଦେଶର ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓଡ଼ିଶା କଂଗ୍ରେସର ସଭାନେତ୍ରୀ ପାଇଁ ବନ୍ଦିତାଙ୍କ ନାମକୁ ମଂଜୁରୀ ଦେଇଛନ୍ତି । ଶ୍ରୀମତୀ ପରିଡ଼ାଙ୍କ ସମେତ ଅରୁଣାଚଳ ପ୍ରଦେଶର ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ମାରିନା କେଙ୍ଗଲାଙ୍ଗ ଓ ହରିଆଣାର କଂଗ୍ରେସ ସଭାନେତ୍ରୀ ଭାବେ ସୁଧା ଭରଦ୍ୱାଜଙ୍କୁ ନିଯୁକ୍ତି ମିଳିଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଏହା କୁହାଯାଇଛି ।
ଏଆଇସିସିର ସାଧାରଣ ସଂପାଦକ କେସି ବେଣୁଗୋପାଳ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପରିଡ଼ା ଏବେ ପ୍ରଦେଶ କଂଗ୍ରେସ ମହିଳାର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଯାଜପୁରର କୋରେଇ ବିଧାନସଭା ଆସନରୁ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀମତୀ ପରିଡ଼ା କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତାଙ୍କୁ ପୁଣିଥରେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସର ତତକାଳୀନ ମହିଳା ସଭାନେତ୍ରୀ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କ ପରେ ଶ୍ରୀମତୀ ପରିଡ଼ାଙ୍କୁ ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାନେତ୍ରୀ ଓ ପରେ ପ୍ରଦେଶ ମହିଳା କଂଗ୍ରେସର ଆକ୍ଟିଂ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଥିଲେ।
Powered by Froala Editor