ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଶୋକ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। 'ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି ।୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।ଏହା ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ, ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ୟ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ । ୧୯୯୦ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ । ୨୦୦୨ରୁ ୨୦୦୪ ପର୍ୟ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ୨୦୦୪ରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ।
Powered by Froala Editor