କବାବ୍ ଏବଂ ମାଛର ଡିସ୍ରେ କୃତ୍ରିମ ରଙ୍ଗ ବ୍ୟବହାର ହୋଇପାରିବନି

କଟନ କାଣ୍ଡି ଉପରେ ନିଷେଧାଦେଶ ପରେ ବର୍ତ୍ତମାନ କର୍ଣ୍ଣାଟକର ସିଦ୍ଧାରମାୟା ସରକାର ଚିକେନ୍ କବାବ୍ ଏବଂ ମାଛରୁ ପ୍ରସ୍ତୁତ ଖାଦ୍ୟ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କବାବ୍ ଏବଂ ମାଛର ଡିସ୍ରେ କୃତ୍ରିମ ରଙ୍ଗ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି କେହି ଏହି ଖାଦ୍ୟରେ ଆର୍ଟିଫିସିଆଲ ରଙ୍ଗ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।
କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ବ୍ୟାନ୍ ଲଗାଯାଇଛି। ଖାଦ୍ୟ ସାମଗ୍ରୀରେ କୃତ୍ରିମ ରଙ୍ଗର ପ୍ରତିକୂଳ ପ୍ରଭାବ ଉପରେ ଅନୁସନ୍ଧାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଖାଦ୍ୟ ସୁରକ୍ଷା ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷେଧାଦେଶ ଉଲ୍ଲଂଘନ କଲେ ସର୍ବନିମ୍ନ ସାତ ବର୍ଷ ଜେଲଦଣ୍ଡ ଏବଂ ସର୍ବାଧିକ ଆଜୀବନ କାରାଦଣ୍ଡ ହୋଇପାରେ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଏବଂ ଖାଦ୍ୟ ଆଉଟଲେଟର ଲାଇସେନ୍ସ ବାତିଲ ହୋଇପାରିବ।
କିଛି ଦିନ ପୂର୍ବରୁ ଏହି ଜିନିଷଗୁଡିକର ନମୁନାଗୁଡ଼ିକର ଗୁଣବତ୍ତା ଯାଞ୍ଚ କରାଯାଇଥିଲା ଏବଂ କୃତ୍ରିମ ରଙ୍ଗ ବ୍ୟବହାର ଯୋଗୁ ସେସବୁଖାଦ୍ୟର ଗୁଣବତ୍ତା ଖରାପ ଥିବା ଜଣାପଡିଥିଲା। ରାଜ୍ୟ ଲାବୋରେଟୋରୀରୁ ୩୯ଟି କବାବ ନମୁନା ସଂଗ୍ରହ କରି ଏହା ବିଶ୍ଳେଷଣ କରିଥିଲା। ୩୯ଟିରୁ ୮ଟି ନମୁନାରେ କୃତ୍ରିମ ରଙ୍ଗର ଉପସ୍ଥିତି, ବିଶେଷତଃ ସନ୍ ସେଟ୍ ୟେଲୋ ଏବଂ କାର୍ମୋସିନ୍ ହେତୁ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଥିଲା। ଏହାପରେ କର୍ଣ୍ଣାଟକ ସରକାର ଆକ୍ସନମୁଡ୍କୁ ଆସି କୃତ୍ରିମ ରଙ୍ଗ ବ୍ୟାବହାର ଉପରେ ବ୍ୟାନ୍ ଲଗାଇଛନ୍ତି।
Powered by Froala Editor