ସାଂସଦ ଭାବେ ମୋଦୀ ନେଲେ ଶପଥ
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ପ୍ରଥମେ ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଗୃହକାର୍ୟ୍ୟ ପରିଚାଳନା କରୁଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଧାନମନ୍ତ୍ରୀଙ୍କ ପରେ ପରେ ଅନ୍ୟ ସମସ୍ତ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି।
ସ୍ୱତନ୍ତ୍ର ଅଧିବେଶ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦ ଭବନରେ ପହଞ୍ଚିବା ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ କହିଥିଲେ, ଆଜି ଏକ ଐତିହାସିକ ଦିବସ। ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଲାଗି ନବନିର୍ବାଚିତ ସାଂସଦମାନେ ନୂଆ ସଂସଦ ଭବନରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ପୂର୍ବରୁ ସାଂସଦମାନେ ପୁରୁଣା ସଂସଦ ଭବନରେ ଶପଥ ନେଉଥିଲେ। ତେଣୁ ଆଜି ଗଣତନ୍ତ୍ର ପାଇଁ ଏକ ଐତିହାସିକ ମୁହୁର୍ତ୍ତ। ୩ୟ ଥର ପାଇଁ ଏନଡିଏ ସରକାର ଗଠନ କରିଥିବାରୁ ପ୍ରଧାନମନ୍ତ୍ରୀ ଦଳୀୟ ନେତା ଏବଂ ସାଂସଦମାନଙ୍କୁ ପ୍ରଶଂସା କରିଥିଲେ। ସରକାର ଲୋକଙ୍କ ଆଶା, ଅଭିଳାଶ ପୂରଣ କରିବା ସହିତ ଦେଶକୁ ବିକାଶ ଏବଂ ଅଭିବୃଦ୍ଧି ଦିଗରେ ଆଗେଇନେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଦେଶବାସୀ ତଥା ସାଂସଦମାନଙ୍କ ସହମତିରେ ସେ ଦେଶର ସେବା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Powered by Froala Editor