ଏନଟିଏ ମହାନିର୍ଦ୍ଦେଶକ ସୁବୋଧ କୁମାର ବିଦା
ପେପର ଲିକ ମାମଲାରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA)ର ମୁଖ୍ୟଙ୍କୁ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ସୁବୋଧ କୁମାର ସିଂହ ଏନଟିଏର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଓ ଏକାଧିକ ଜାତୀୟସ୍ତରର ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ବର୍ତମାନ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜଣେ ନିୟମିତ ପଦାଧିକାରୀ କିମ୍ବା ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।
ଏହାପୂର୍ବରୁ ଶନିବାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ଜରିଆରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
ମେ’ ୫ରେ ଦେଶର ପ୍ରାୟ ବିଭିନ୍ନ ସ୍ଥାନରେ ୨୪ ଲକ୍ଷ ପିଲା ନିଟ-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ। ଜୁନ ୪ରେ ଦେଶର ନିର୍ବାଚନ ଫଳାଫଳ ସହ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଥିଲା। ତେବେ ରେଜଲ୍ଟ ବାହାରିବା ପରେ ପ୍ରଶ୍ନପତ୍ର ଲିକର ଅଭିଯୋଗ ଆସିଛି। ନିଟ-ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖିବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ବରେ ପ୍ରଶ୍ନପତ୍ର ପାଇଁ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ମଧ୍ୟ ଦେଇଥିଲା। ଏତେ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନିୟମିତତାର ଅଭିଯୋଗ ଆସିଥିଲା।
Powered by Froala Editor