ରେଳ ପ୍ଲାଟଫର୍ମ ଟିକେଟ, ୱେଟିଂ ରୁମ ଓ କ୍ଲକ ରୁମ ଚାର୍ଜ ଜିଏସ୍ଟି ମୁକ୍ତ
ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୩ ତମ ଜିଏସଟି ପରିଷଦ ବୈଠକରେ ଅନେକ ଦ୍ରବ୍ୟ ଏବଂ ସେବା ଉପରୁ କର ହ୍ରାସ ହୋଇଛି। ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସେବା ଉପରେ ଟିକସ ଛାଡ କରାଯାଇଛି। ରେଳ ପ୍ଲାଟଫର୍ମ ପାଇଁ ଲାଗୁ ଥିବା ଟିକେଟ, ୱେଟିଂ ରୁମ ଓ କ୍ଲକ ରୁମ ପାଇଁ ଲାଗୁଥିବା ଚାର୍ଜକୁ ଜିଏସ୍ଟି ମୁକ୍ତ କରାଯାଇଛି। ଏହାବାଦ ପ୍ଲାଟଫର୍ମରେ ମିଳୁଥିବା ବେଟାରୀ ଚାଳିତ ଗାଡ଼ିର ସେବା ପାଇଁ ମଧ୍ୟ କୌଣସି ପ୍ରକାରର ଜିଏସ୍ଟି ଲାଗିବ ନାହିଁ।
ଖବରଦାତା ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନରେ ଆଣିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି ଏବଂ ଏହା ଇନ୍ଧନରେ ଜିଏସଟି ହାର ସ୍ଥିର କରିବାକୁ ରାଜ୍ୟମାନଙ୍କ ଉପରେ ଦାୟିତ୍ୱ ଛାଡିଛି।
ଶିକ୍ଷାନୁଷ୍ଠାନ ବାହାରେ ଜଣଙ୍କ ପିଛା ମାସିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେଉଥିବା ହଷ୍ଟେଲଗୁଡ଼ିକୁ ଜିଏସଟି ବାହାରେ ରଖାଯାଇଛି। ଏହି ସର୍ତ୍ତ ସେତେବେଳେ ଲାଗୁ ହେବ ଯେତେବେଳେ ଜଣେ ଶିକ୍ଷାର୍ଥୀ ନିୟମିତ ୯୦ ଦିନ ଯାଏ ରହୁଥିବେ। କାଳେ ହୋଟେଲଗୁଡ଼ିକ ଟିକସ ଛାଡ଼ ନିଷ୍ପତ୍ତିର ଫାଇଦା ହୋଟେଲଗୁଡ଼ିକ ନେଇଯିବେ, ସେଥିପାଇଁ ଏପରି ସର୍ତ୍ତ ଲାଗୁ କରାଯାଇଛି।
ସମସ୍ତ ପ୍ରକାରର ଦୁଗ୍ଧ ଜାତିୟ କାନ୍ସ ଓ ସୋଲାର କୁକର୍ସ ଉପରେ ୧୨% ଜିଏସ୍ଟି ଲାଗୁ ହେବ ବୋଲି ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ସମସ୍ତ ପ୍ରକାରର କାଗଜରୁ ପ୍ରସ୍ତୁତ ପେଟି ଓ କେସେସ୍ ଉପରେ ୧୨% ଜିଏସ୍ଟି ଲାଗୁ ହେବ। ଏହା ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ସେଓ ଚାଷୀଙ୍କୁ ଫାଇଦା ଦେବ। ସମସ୍ତ ପ୍ରକାରର ସ୍ପିଙ୍କ୍ରଲର୍ସ ବା ଜଳ ସିଞ୍ଚନ ଯନ୍ତ୍ର ଉପରେ ମଧ୍ୟ ୧୨% ଜିଏସଟି ଲାଗୁ କରାଯିବ।
ସେହିପରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବାୟୋମେଟ୍ରିକ୍ ଆଧାରିତ ଆଧାର ପ୍ରାମାଣିକିକରଣ ସମଗ୍ର ଭାରତ ଆଧାରରେ ଗଢ଼ାଯିବ। ଏହି ମାମଲାରେ ନକଲି ଇନଭଏସ୍ ମାଧ୍ୟମରେ ଦିଆଯାଇଥିବା ଜାଲିଆତି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଦାବିକୁ ମୁକାବିଲା କରିବାରେ ଏହା ଆମକୁ ସାହାଯ୍ୟ କରିବ।
ଶେଷରେ କ୍ଷୁଦ୍ର କରଦାତାମାନଙ୍କୁ ସାହାଯ୍ୟ କରିବା ପାଇଁ ପରିଷଦ ଏପ୍ରିଲ ୩୦ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଏବଂ ଜିଏସଟିଆର ୪ ଫର୍ମରେ ଫେରସ୍ତ ପାଇଁ ସମୟ ସୀମା ବୃଦ୍ଧି କରିବାକୁ ସୁପାରିଶ କରିଛି।
Powered by Froala Editor