ଏଥର ପେପର୍ ଲିକ୍ କଲେ ଆଉ ମିଳିବନି ତ୍ରାହି, ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଏବେ ପେପର୍ ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପେପର୍ ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଅଧ ରାତିରୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜିଠାରୁ ଲାଗୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି।
ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗ୍ଜାମିନେସନ୍ (ଅନ୍ୟାୟ ଅର୍ଥର ନିରାକରଣ) ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ୟ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ୟ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ୟ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। ୟୁପିଏସସି, ଏସଏସସି, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନ୍ରେ ଅନ୍ତର୍ଭୁକ୍ତ ହେବ।ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍', କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସଂସାଧନ ଅଥବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ।
Powered by Froala Editor