‘ମିରାକଲ୍’ କୋଳି: ଖଟା ଖାଇଲେ ଲାଗିବ ଚିନି ଭଳି ମିଠା
କେବେ ଶୁଣିଛନ୍ତି କି ‘ମିରାକିଲ’ କୋଳିର ନାଁ? ଶୁଣିନଥିବେ । କିନ୍ତୁ ଏମିତି କୋଳି ଅଛି ଯାହାକୁ ମିରାକିଲ ନାଁ ଦିଆଯାଇଛି । ତେବେ ମିରାକିଲ କୋଳି କହିବାର ବି ତାତ୍ପର୍ଯ୍ୟ ରହିଛି । କାରଣ ଏହାର ବିଶେଷତ୍ତ୍ୱ ହେଲା ଏହି କୋଳି ଖାଇଲେ ପ୍ରଥମେ ଆପଣଙ୍କୁ ଖଟା ଲାଗିବ । ତା ପରେ ଆପଣ ଯେ କୌଣସି ଖଟା ପଦାର୍ଥ ଖାଇବେ, ତାହା ପାଟିକୁ ଚିନି ଭଳି ମିଠା ଲାଗିବ । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ନିହାତି ସତ । ଏ ପ୍ରକାର କୋଳି ରହିଛି ଜୟପୁର ବାଲିଆ ପଞ୍ଚାୟତ ସାନଉଜେଇ ଗାଁର କମଳାଗୋପି ମଝିଆ ଫାର୍ମରେ । ବର୍ଷରୁ ମାତ୍ର ଦୁଇଥର ଏହି କୋଳି ଫଳୁଥିବା କହିଛନ୍ତି ଫାର୍ମର ମାଲିକ ସାନ ଗନ୍ତାୟତ ।
ଶ୍ରୀ ଗନ୍ତାୟତ କହିଛନ୍ତି, ୪ବର୍ଷ ତଳେ ବେଙ୍ଗାଲୁରୁର ଏକ ଫଳ ଉତ୍ପାଦନ ନର୍ସରୀକୁ ଯାଇଥିଲେ । ସେଠାରେ ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ଚାରା ବିକ୍ରି ହେଉଥିଲା । ମିରାକଲ୍ କୋଳି ଗଛ ସମ୍ପର୍କରେ ସେଠାକାର କର୍ମଚାରୀଙ୍କଠାରୁ ଜାଣିବାକୁ ପାଇଥିଲେ । ଏହି ଗଛର କୋଳି ଖାଇବାର କିଛି ସମୟର ପରେ ଯେକୌଣସି ଖଟା ଫଳ ଖାଇଲେ ମିଠା ଲାଗିବ ବୋଲି କହିଥିଲେ । ସେଠାରୁ ୨ଟି ଚାରା ଆଣିଥିଲେ । ଏହି ଚାରାକୁ ନିଜ ଫାର୍ମରେ ଲଗାଇଥିଲେ । ୪ ବର୍ଷରେ ଏହି ଗଛ ଦୁଇଫୁଟ ଉଚ୍ଚତା ହେଲାଣି । ଏହା ୫ରୁ ୬ଫୁଟ ହୋଇପାରେ । ୨ ବର୍ଷ ତଳୁ କୋଳି ଫଳିବା ଆରମ୍ଭ ହୋଇଛି । ବର୍ଷକୁ ଏହା ମାତ୍ର ୨ ଥର ଫଳୁଛି । ଫୁଲ ଧରିବା ପରେ ଗ୍ରୀନ କଲର କୋଳି ହେଉଛି । ଏହା ପାଚିଗଲେ ଲାଲ୍ ହେଉଛି । ପାଚିଲେ ହିଁ ଏହି କୋଳି ଖିଆଯାଏ । ଖାଇବାର କିଛି ସମୟ ପରେ ଯେକୌଣସି ଖଟାଫଳ ଖାଇଲେ ମିଠା ଲାଗିବ । ଏଥିଲାଗି ଏହାର ନାଁ ମିରାକଲ୍ ରଖାଯାଇଛି । ଗୋଟିଏ ଗୋଟିଏ ଗଛରେ ଥରକୁ ୨୦୦ରୁ ଅଧିକ କୋଳି ଫଳୁଛି ।
ତେବେ ଏହି କୋଳି ବିଷୟରେ ଅନେକ ଅଜ୍ଞ । ଏହାକୁ ନେଇ ଓଡ଼ିଶାରେ ସେମିତି କିଛି ଗବେଷଣା ହୋଇଛି କି ନାହିଁ ଜଣାପଡିନାହିଁ । କିନ୍ତୁ ଶ୍ରୀ ଗନ୍ତାୟତ ମିରାକିଲ କୋଳି ପାଇଁ ଖୁବ ଖୁସି ବୋଲି କହିଛନ୍ତି । ତାଙ୍କୁ ଏହି କୋଳି ପାଇଁ ଅଞ୍ଚଳରେ ବହୁତ ଲୋକ ପଚାରୁଛନ୍ତି । ତେଣୁ ସେ ମିରାକିଲ କୋଳି ବିଷୟରେ ଜଣାଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
Powered by Froala Editor