୨୧ର ପ୍ରତିଜ୍ଞା ୨୪ରେ ପୂରଣ କଲେ ନାଇଡୁ, ୩୧ ମାସ ପରେ ବିଧାନସଭାରେ ପ୍ରବେଶ କଲେ
ଚନ୍ଦ୍ରବାବୁ ନାଇଡୁ ଜୁନ ୯ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରଛନ୍ତି। ୩୧ ମାସ ପରେ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ବିଧାନସଭାକୁ ଫେରିଛନ୍ତି। ୨୦୨୧ର ପ୍ରତିଜ୍ଞା ପୂରଣ ହେବାରୁ ସେ ବିଧାନସଭାରେ ପାଦ ରଖିଛନ୍ତି। ୩୧ ମାସ ତଳେ ଏହି ବିଧାନସଭାରେ ତାଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଦିଆଯାଇଥିବା ଟିପ୍ପଣୀରେ ନାଇଡୁ ବେଶ ଅପମାନିତ ହୋଇଥିଲେ।
ଏଥିପାଇଁ ୨୦୨୧ ମସିହା ନଭେମ୍ବର ମାସରେ ବେଶ ଭାବବିହ୍ୱଳ ହୋଇ ସେ ଘୋଷଣା କରିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହିଁ ଯାଇ ବିଧାନସଭାରେ ପୁଣି ପାଦ ରଖିବେ। ସତକୁ ସତ ସେ ମୁଖ୍ୟମନ୍ତ୍ରୀ ହୋଇ ବିଧାନସଭା ଆସିଛନ୍ତି।
ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ୧୪୪ଟି ଜିତିଛି। ଏହି ୧୪୪ଟି ମଧ୍ୟରୁ ୧୩୫ଟି ଆସନ କେବଳ ଟିଡିପି ଖାତାକୁ ଯାଇଥିବାବେଳେ ୮ଟି ଆସନ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ୨୧ଟି ଜନସେନା ପାଖକୁ ଯାଇଛି। ଏହି ତିନୋଟି ଦଳ NDA ର ଅଂଶ। ରାଜ୍ୟର ଶାସକ ଦଳ YSR କଂଗ୍ରେସ ମାତ୍ର ୧୧ଟି ଆସନ ଜିତିଛି।
ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ବିଧାନସଭାରେ ପ୍ରବେଶ କରିଛନ୍ତି। ବିଧାନସଭାରେ ପ୍ରବେଶ କରିବା ବେଳେ ସେ ଏହାର ପାହାଚକୁ ମୁଣ୍ଡିଆ ମାରିଥିଲେ। ନାଇଡୁ ଅଢ଼େଇ ବର୍ଷ ପରେ ବିଧାନସଭାରେ ପ୍ରବେଶ କରିଥିବାରୁ ଟିଡିପିର ବିଧାୟକମାନେ ବେଶ ଉତ୍ସାହିତ ହୋଇ ଉଠିଥିଲେ। ସେମାନେ ନାଇଡଙ୍କ ଫଟୋ ଥିବା ଫ୍ଲାକାର୍ଡ ଧରିବା ସହ ବିଭିନ୍ନ ପ୍ରକାରର ନାରା ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ସତ୍ୟର ପର୍ଦ୍ଦାଫାସ ହୋଇଛି ଓ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ନାରାରେ ପୂରା ବିଧାନସଭା ପ୍ରକମ୍ପିତ ହୋଇ ଉଠିଥିଲା।
Powered by Froala Editor