ମଦ ନିଶାରେ ସାଙ୍ଗକୁ ମାରିଦେଲା ସାଙ୍ଗ
ଚାପୁଡ଼ା ମାରିବାରୁ ସାଙ୍ଗ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କଲା ସାଙ୍ଗ । ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ବାଲିପାଟଣା ଗ୍ରାମରେ । ମୃତ ଯୁବକ ହେଲେ ବାପି ମଲ୍ଲିକ(୨୪) ଓ ଅଭିଯୁକ୍ତ ହେଲା ନିଲୁ ରାଉତ(୨୮) । ଦୁହେଁ ପିଲା ଦିନର ସାଙ୍ଗ ଏବଂ ଗୋଟିଏ ଗ୍ରାମର ।
ସୂଚନା ଅନୁସାରେ ଗତ ରଜ ସଂକ୍ରାନ୍ତି ଦିନ ସକାଳେ ବାପି ଓ ନିଲୁ ଏକାଠି ବୁଲୁଥିଲେ । କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ନିଲୁକୁ ଏକ ଚାପୁଡ଼ା ମାରିଥିଲେ ବାପି । ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲା ବାପି । ଅପରାହ୍ନରେ ଗାଁ ନିକଟ ଭାର୍ଗବୀ ନଦୀକୂଳକୁ ଉଭୟ ଯାଇଥିଲେ । ସେଠାରେ ଏକାଠି ମଦ୍ୟପାନ କରିଥିଲେ । ପରେ ବାପିଙ୍କୁ ନଦୀପାଖ ପାଞ୍ଚବାଟିଆ ଜଙ୍ଗଲକୁ ଡାକି ନେଇଥିଲା ନିଲୁ । ସେଠାରେ ଚାପୁଡ଼ା ମାରିବା ଘଟଣା ନେଇ ନିଲୁ ପୁଣି ଯୁକ୍ତିତର୍କ କରିଥିଲା । ଏହି ସମୟରେ ବାପି ଘଟଣାସ୍ଥଳରୁ ପଳାଇ ଆସିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନିଶାସକ୍ତ ଅବସ୍ଥାରେ ନିଲୁ ଏକ ଇଟା ମାଡ଼ କରିଥିଲା । ଇଟା ମାଡ଼ରେ ବାପି ତଳେ ପଡ଼ି ଯାଇଥିଲେ । ଏହାପରେ ବାପି କାନମୁଣ୍ଡା ଓ ମୁଣ୍ଡରେ ଅତି ନୃଶଂସ ଭାବେ ଇଟା ଛେଚି ହତ୍ୟା କରିଥିଲା ନିଲୁ ।
ଏହାପରେ ସେ ଘରେ ପହଞ୍ଚି ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା । ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ । ପରେ ନିଲୁକୁ ତା’ ବାପା ନେଇ ବାଲିଗୁଆଳି ନିକଟସ୍ଥ ଏକ ନିଶା ନିବାରଣ କେନ୍ଦ୍ରରେ ଛାଡ଼ି ଦେଇଥିଲେ । ୨ ଦିନ କାଳ ବାପି ଘରକୁ ନଫେରିବାରୁ ଗାଁ ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ନିକଟ ଜଙ୍ଗଲରେ ଏକ ବୁଦା ମୂଳରେ ବାପିଙ୍କ ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା ।
Powered by Froala Editor