ମଝିରାସ୍ତାରେ ଜଗିଥିଲା ଯମ, ନେଇଗଲା ୪ ବନ୍ଧୁଙ୍କ ଜୀବନ

ଜନ୍ମଦିନ ପାଳିି ସାଙ୍ଗ ଘରକୁ ଯାଉଥିବାବେଳେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ବନ୍ଧୁଙ୍କ ଜୀବନ ଯାଇଛି । ଏଥିରେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଖଡ଼ିଆଳ ସହରର ଋଷି ସାହୁ (୨୨), ଶୁଭମ୍ ମହାଉତି (୨୨), ଦେବେନ୍ଦ୍ରସିଂ ଲାଲ୍ (୨୩) ଓ ଗୋଇମୁଣ୍ଡି ଗାଁର ଦେବରାଜ ପଟେଲ (୧୯) ।
ରବିବାର ଖଡ଼ିଆଳ ସହର ଗୋଶାଳାପଡ଼ାର ମତ୍ସ୍ୟ ଜାଆଁଳ କେନ୍ଦ୍ର ମାଲିକ ସୁଶାନ୍ତ ସାହୁଙ୍କ ବଡ଼ପୁଅ ଶୁଭମ୍ଙ୍କ ଜନ୍ମଦିନ ଥିଲା । ଅରେଡ଼ାସ୍ଥିତ ଫାର୍ମହାଉସ୍ରେ ପରିବାର ଲୋକେ ଶୁଭମ୍ ଓ ସାନପୁଅ ଋଷୀଙ୍କ ସାଙ୍ଗସାଥୀଙ୍କ ସହ ମିଶି ଜନ୍ମଦିନ ପାଳିଥିଲେ । ରାତି ପ୍ରାୟ ୧୧ଟାରେ ଋଷୀ ତାଙ୍କ ୩ ଜଣ ସାଙ୍ଗ ଶୁଭମ୍ ମହାଉତି, ଦେବେନ୍ଦ୍ର ଓ ଦେବରାଜ ସହ ଏକ କାର୍ରେ ତୁକଲାସ୍ଥିତ ଅନ୍ୟ ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିଲେ । ତେବେ ଲଛିପୁର ଗାଁ ନିକଟରେ ୪ଜଣ ଶ୍ରମିକଙ୍କୁ ଧରି ଖଡ଼ିଆଳରୁ ତୁକଲାକୁ ଯାଉଥିବା ଏକ ଟ୍ରାକ୍ଟରକୁ କାର୍ଟି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର୍ଟି ଓଲଟି ପଡ଼ିଥିଲା । କାର୍ରେ ଥିବା ୪ଜଣ ବନ୍ଧୁ ଏବଂ ଟ୍ରାକ୍ଟରର ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଋଷୀ, ଶୁଭମ୍, ଦେବେନ୍ଦ୍ର ଓ ଦେବରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Powered by Froala Editor