ରାଜ୍ୟରେ ଅଫିସର ସ୍ତରରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ
ଭୁବନେଶ୍ୱର: ଓଡ଼ିଶାରେ ନୂଆ ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡି ପଡି ଜାଣିବା ପରେ ସେ ଚିନ୍ତା ପ୍ରକଟ କରିଛନ୍ତି। କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ଭୁଶୁଡିଲା ଏହାର ଜବାବ ମାଗିବାରୁ କାହା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ନ ଥିଲା। ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ ଢଙ୍ଗରେ କୌଣସି ସୂଚନା ଦେଇପାରି ନ ଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଠାରୁ ସରକାରୀ କାର୍ୟ୍ୟ ଆରମ୍ଭ କରିଛନ୍ତି। ବୁଧବାର ଶପଥ ଗ୍ରହଣ ପରେ ସନ୍ଧ୍ୟାରେ ଲୋକସେବା ଭବନ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ଗୁରୁବାର ସକାଳେ ପୁରୀରୁ ଫେରିଲା ପରେ ଲୋକସେବା ଭବନ ନଯାଇ ରାଜ୍ୟ ଅତିଥି ଭବନରୁ କାର୍ୟ୍ୟ ଆରମ୍ଭ କରିଥିଲେ। ସରକାରଙ୍କ ପ୍ରଥମ ୧୦୦ ଦିନର କାର୍ୟ୍ୟକ୍ରମ କ’ଣ ହେବ, ସେଥି ପାଇଁ ସେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
Powered by Froala Editor