ଶପଥ ପରେ ମନ୍ତ୍ରଣାଳୟ ବାଣ୍ଟିଲେ ପ୍ରଧାନମନ୍ତ୍ରୀ, ନିଜ ପାଖରେ ଏସବୁ ବିଭାଗ
ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ସିଂହଭାଗ ଭାବେ ବିଜେପିର ୨୫ ମନ୍ତ୍ରୀମାନଙ୍କୁ କ୍ୟାବିନେଟ ମନ୍ତ୍ରଣାଳୟ ମିଳିଛି। ଅନ୍ୟ ଦଳମାନଙ୍କୁ କେବଳ ୫ଟି କ୍ୟାବିନେଟ ମନ୍ତ୍ରଣାଳୟ ଦିଆଯାଇଛି।
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଛି ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ପାଖରେ ବ୍ୟକ୍ତିଗତ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ମହାକାଶ ବିଭାଗ ରଖିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତଥର ଭଳି ଅମିତ ଶାହାଙ୍କ ହାତରେ ଅଛି, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଗତଥର ଭଳି ରାଜନାଥ ସିଂଙ୍କୁ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏସ୍. ଜୟଶଙ୍କର, ସଡ଼କ ପରିବହନ ଏବଂ ରାଜପଥ ନୀତୀନ ଗଡକରୀ ଏବଂ ଅର୍ଥ ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି।
ସହଯୋଗୀମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀଙ୍କୁ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟ, ଏଲଜେପି ରାମ ବିଳାସର ଚିରାଗ ପାସୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଟିଡିପି ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କୁ ହେଭି ଇଣ୍ଡଷ୍ଟ୍ରି ଏବଂ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି। ଜେଡିୟୁ ନେତା ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦିଆଯାଇଛି।
Powered by Froala Editor