ଦେଢ ଘଣ୍ଟା ଛିଡ଼ା ହେବା ପରେ ଭୋଟ ଦେଲେ ସମ୍ବିତ୍ ପାତ୍ର
ପୁରୀ: ଆଜି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଭୋଟିଂରେ ନିଜର ମତ ସାବ୍ୟସ୍ତ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ଇଭିଏମ୍ ମେସିନ ଖରାପ ହେବା ଯୋଗୁଁ ବୁଥ ବାହାରେ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବା ପରେ ସେ ଭୋଟ ଦେଇଛନ୍ତି। ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ କରିବାକୁ ଅପିଲ କରିଛନ୍ତି।
ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, ଦେଶକୁ ବିକଶିତ ଓ ଓଡ଼ିଶାକୁ ସଦୃଢ଼ କରିବାକୁ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର।
ରାଜ୍ୟରେ ଆଜି ତୃତୀୟ ପର୍ୟ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ହୋଇଛି। ସକାଳୁ ସକାଳୁ ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି।
ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।
Powered by Froala Editor