ଜୁଲାଇ ୪ରେ ବ୍ରିଟେନ୍ ସାଧାରଣ ନିର୍ବାଚନ
ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ବ୍ରିଟିଶ କ୍ୟାବିନେଟ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଆସନ୍ତା ସପ୍ତାହରେ ସଂସଦ ଭଙ୍ଗ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।” ୨୦୧୦ରୁ ଦେଶରେ କ୍ଷମତାସୀନ ଥିବା ଦକ୍ଷିଣପନ୍ଥୀ କଞ୍ଜରଭେଟିଭ୍ ପାର୍ଟି ପାଇଁ ଏହି ନିର୍ବାଚନ ଅସ୍ତିତ୍ୱ ବଜାୟ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।
ଲଣ୍ଡନ୍ର ୧୦ ଡାଉନିଂ ଷ୍ଟ୍ରିଟ୍ରୁ ପ୍ରଥମ ଭାରତୀୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକ୍ କହିଛନ୍ତି, ଗତ ୫ ବର୍ଷ ଦେଶ ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ଆହ୍ବାନପୂର୍ଣ୍ଣ ରହିଥିଲା। ଆଗାମୀ ଦିନଗୁଡ଼ିକରେ ମୁଁ ଆପଣମାନଙ୍କ ପ୍ରତ୍ୟେକ ଭୋଟ ପାଇଁ ସଂଘର୍ଷ କରିବି। ଆମ ପାଖରେ ଏକ ସ୍ପଷ୍ଟ ଯୋଜନା ରହିଛି। ଆସନ୍ତା ସପ୍ତାହରେ ପାର୍ଲାମେଣ୍ଟ ଭଙ୍ଗ କରାଯିବ। ଏହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ବ୍ରିଟେନରେ ସାଧାରଣ ନିର୍ବାଚନ ସାଧାରଣତଃ ଗୁରୁବାର ଅନୁଷ୍ଠିତ ହୋଇଥାଏ। ୧୯୩୧ ଅକ୍ଟୋବର ୨୭ରୁ ଏହି ପରମ୍ପରା ପ୍ରଚଳିତ। ଜୁଲାଇ ୪ ମଧ୍ୟ ଗୁରୁବାର ପଡ଼ୁଛି। ପାର୍ଲାମେଣ୍ଟର ପ୍ରଥମ ବୈଠକର ୫ ବର୍ଷ ପୂରଣ ହେବା ପରେ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଥାଏ। ବର୍ତ୍ତମାନର ପାର୍ଲାମେଣ୍ଟ ୨୦୨୪ ଡିସେମ୍ବର ୧୭ରେ ୫ ବର୍ଷ ପୂରଣ କରିଥାନ୍ତା। କିନ୍ତୁ ଦଳ ଭିତରେ ସୁନକ୍ଙ୍କ ବିରୋଧରେ ବିଦ୍ରୋହ ବଢ଼ିବାରେ ଲାଗିଥିବାରୁ ସେ ଆଗୁଆ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ, ତେବେ ୨୦୨୫ ଜାନୁଆରି ୨୮ ପୂର୍ବରୁ ବ୍ରିଟେନରେ ନିର୍ବାଚନ ହୋଇଥାନ୍ତା।”
Powered by Froala Editor