ଇରାନର ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ମଙ୍ଗଳବାର ଭାରତରେ ପାଳନ ହେବ ଶୋକ
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି, ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ମୃତଦେହ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁରେ ଭାରତ ସମେତ ଅନେକ ରାଷ୍ଟ୍ର ଶୋକ ପ୍ରକାଶ କରିଛନ୍ତି । ଏହା ସହ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମ୍ମାନାର୍ଥେ ଭାରତରେ ଶୋକ ପାଳନ ହେବ ।
ମେ' ୨୧ ତାରିଖରେ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସାରା ଦେଶରେ ସେହି ସମସ୍ତ ବିଲ୍ଡିଂରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ, ଯେଉଁଠି ଏହା ନିୟମିତ ଉଡ଼ୁଥାଏ । ଏହାସହ ରାଷ୍ଟ୍ରୀୟ ଶୋକ ଦିନ କୌଣସି ମନୋରଞ୍ଜନଧର୍ମୀ ସରକାରୀ କାର୍ଯ୍ୟକ୍ରମ ହେବ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ‘‘ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦେହାନ୍ତ ଖବର ଶୁଣି ଚକିତ ଏବଂ ଖୁବ୍ ଦୁଃଖିତ। ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ସମବେଦନା। ଏହି ଦୁଃଖଦ ସମୟରେ ଭାରତ ଇରାନ ସହିତ ଛିଡ଼ା ହୋଇଛି।’’
Powered by Froala Editor