ଭବାନୀପାଟଣାରେ ୨୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦ୍ଘାଟିତ : ରହିଛି ୧୬ ଆଇସିୟୁ ଓ ୧୬ ଏଚ୍ଡିୟୁ ବେଡ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଭବାନୀପାଟଣାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି । ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚଡିୟୁ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ବାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ କଳାହାଣ୍ଡି ବିଭିନ୍ନ କ୍ଷେତ୍ରରେ ବିକାଶର ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏ ରୂପାନ୍ତର ବାସ୍ତିବକ ଉଲ୍ଲେଖନୀୟ। କଳାହାଣ୍ଡି ଏବେ ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ମହାମାରୀ ହେଉ ବା ପ୍ରାକୃତିକ ବିପର୍ଯ୍ୟୟ, ଯଦି ଠିକ୍ ଭାବେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ନିଶ୍ଚିତ ବିଜୟ ଲାଭ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ । କୋଭିଡର ଦ୍ବିତୀୟ ଲହରରେ ରୋଗୀମାନଙ୍କ ପାଇଁ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଥିଲା । ଏଭଳି ସମୟରେ ଓଡ଼ିଶା ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡ଼ିଶାବାସୀଙ୍କ ପାଇଁ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଯୋଗ ଦେଇ କଳାହାଣ୍ଡି ଓ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କ ସମେତ ଲାଞ୍ଜିଗଡ଼ ଓ ଧର୍ମଗଡ଼ର ବିଧାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ଫାଇଭ-ଟି ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Powered by Froala Editor