ଆଜିଠୁ ପାଗରେ ପରିବର୍ତ୍ତନ, ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀରୁ ଆଶ୍ବସ୍ତି ମିଳିବ। ଆଜିଠୁ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀ ଜନିତ ବର୍ଷା କାରଣରୁ ତାପମାତ୍ରା ମଧ୍ୟ ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାରଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହ କାଳବୈଶାଖୀର ପ୍ରଭାବ ଆରମ୍ଭ ହେବ। ମଙ୍ଗଳବାରଠାରୁ ଏହାର ପ୍ରକୋପ ବଢ଼ିବା ଯୋଗୁଁ ରାଜ୍ୟରେ ପ୍ରାୟ ୪-୬ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ତେଣୁ ରାଜ୍ୟବାସୀଙ୍କୁ ଗରମ ଗୁଳୁଗୁଳିରୁ କିଛି ଦିନ ପର୍ୟ୍ୟନ୍ତ ଆଶ୍ୱସ୍ତି ମିଳିବ ବୋଲି ଆକନଳ କରାଯାଉଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସହିତ ପବନର ବେଗ ବୃଦ୍ଧି ହୋଇ ୩୦-୪୦ କିମି ପର୍ୟ୍ୟନ୍ତ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ମଙ୍ଗଳବାର ଏହି ସ୍ଥିତି ଆହୁରି ବଢ଼ିବା ସହ ଅଧିକ ଜିଲ୍ଲାରେ ପ୍ରଭାବ ଓ ବର୍ଷା ସାଙ୍ଗକୁ ପବନର ବେଗ ବଡ଼ି ୪୦-୫୦ କିମି ପର୍ୟ୍ୟନ୍ତ ପହଞ୍ଚିବ। ଏଭଳି ସ୍ଥିତି ୯ ତାରିଖ ପର୍ୟ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ସୋମବାରଠାରୁ ବୁଧବାର ପର୍ୟ୍ୟନ୍ତ ଉତ୍ତର ଉପକୂଳ ଓଡିଶା-ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦-୫୦ କିମି ବେଗରେ ରହିବାର ସମ୍ଭାବନା ରହିଛି। ଏଥିପାଇଁ ସାମୁଦ୍ରିକ ସ୍ଥିିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୬-୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
Powered by Froala Editor