ଆଜି ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଖଡ଼ିଆଳ ଓ ଭବାନୀପାଟଣାରେ ସେ ଦୁଇଟି ସାଧାରଣ ସଭାରେ ଯୋଗ ଦେବେ । ସୋମବାର ଦିନ ୧୧ଟା ୫ରେ କଳାହାଣ୍ଡି ଭବ ଶ୍ରୀକୃଷ୍ଣନଗରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି । ରାଜ୍ୟରେ ପ୍ରଥମ ପର୍ୟ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ୪ଟି ସ୍ଥାନରେ ମାରାଥନ ନିର୍ବାଚନ ପ୍ରଚାର କରିଥିବା ବେଳେ ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି। ଆଜି ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଗୋପାଳପୁରରେ ମେଗା ରୋଡ୍ ଶୋ’ କରିବେ ପାଣ୍ଡିଆନ ।
Powered by Froala Editor