ଗୁରୁଦ୍ୱାରାରେ ମାନସିକ ଅସୁସ୍ଥ ଯୁବକକୁ ପିଟି ପିଟି ମାରିଦେଲେ

ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପବିତ୍ର ଗୁରୁଗ୍ରନ୍ଥ ସାହିବ୍ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ମାରିଦେଇଛନ୍ତି। ମୃତକ ବକ୍ସିସ ସିଂ ମାନସିକ ଅସୁସ୍ଥ ଥିଲେ ବୋଲି ତାଙ୍କ ବାପା କହିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନା ମୁତାବକ, ଶନିବାର ଗୁରୁଦ୍ୱାରା ବାବା ବୀର ସିଂହ ଭିତରକୁ ବକ୍ସିସ ସିଂ ପଶି ଆସିଥିଲେ। ଏଠାକୁ ଆସିବା ପରେ ସେ ଗୁରୁଦ୍ୱାରା ସାହେବଙ୍କୁ ଅସମ୍ମାନ କରିବା ସହ ଧର୍ମଗ୍ରନ୍ଥକୁ ଚିରି ଦେଇଥିଲେ। ଏହାପରେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଉପସ୍ଥିତ ଲୋକେ ଉକ୍ତ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଛି।
ବକ୍ସିସଙ୍କ ମାନସିକ ଅବସ୍ଥା ଭଲ ନଥିଲା। ଏଥିପାଇଁ ସେ ୨ ବର୍ଷ ଧରି ଔଷଧ ଖାଉଥିବା ବକ୍ସିସ ସିଂହଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି। ପୁଅର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Powered by Froala Editor