ଏହି କାରଣରୁ ଟିକେଟ ଫେରାଇ ଦେଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା। ଟିକେଟ ଫେରାଇ ଦେଇଛନ୍ତି ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି।
ସେ ମେଲରେ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ଲଢ଼ିବା କଷ୍ଟକର। ଦଳ ପକ୍ଷରୁ ମୋତେ ନିଜସ୍ୱ ଟଙ୍କାରେ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ମୁଁ ନିଜର ସମର୍ଥ ଅନୁସାରେ କ୍ୟାମ୍ପେନିଂ କରିବା ସହ ଫଣ୍ଡ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲି। ବର୍ତ୍ତମାନ ସମୟରେ ତାହା ସମ୍ଭବପର ହେଲା ନାହିଁ। ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି।
ପୁରୀ ଲୋକସଭା ଅଧୀନରେ ଥିବା ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି। ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଅନୁରୋଧ କରିଥିଲି। କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ପୁରୀରେ ଲୋକମାନଙ୍କ ସମର୍ଥନ ଓ ଭଲଭାଇବା ମୋ ପ୍ରତି ଥିଲା। ଲୋକେ ପରିବର୍ତ୍ତନ ଚାହୁଁଥିଲେ। ବିଜେଡି ଓ ବିଜେପି ଦଳର କାର୍ୟ୍ୟକଳାପରେ ଲୋକେ ଖୁସି ନଥିଲେ। ଲୋକଙ୍କ ଭଲପାଇବା ମୋ ଉପରେ ଥିଲା। ହେଲେ ବିନା ଫଣ୍ଡରେ ନିର୍ବାଚନ ଲଢ଼ିବା କଷ୍ଟକର। ସେଥିପାଇଁ ଟିକେଟ ଫେରାଇ ଦେବାକୁ ସ୍ଥିର କରିଲି। ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କ ଉପରେ ଭରସା କରିଛି। ସେହିପରି କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେ ଟିକେଟ ଫେରାଇ ଦେଇଛନ୍ତି।
Powered by Froala Editor