ମେ ୩ରେ ରାୟଗଡ଼ାରେ ଜନସଭା କରିବେ ରାହୁଲ
ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ତା’ର ପ୍ରଚାରକୁ ଜୋରଦାର କରିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସିବେ କଂଗ୍ରେସ ନେତା ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ଏନେଇ ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଡ.ଅଜୟ କୁମାର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମେ’ ୩ରେ ଓଡ଼ିଶା ଆସିବେ ରାହୁଲ। ରାହୁଲ ଗାନ୍ଧୀ ନିକଟରେ ସାଲେପୁରରେ ନିର୍ବାଚନୀ ସଭା କରିଥିବାବେଳେ ଆସନ୍ତା ୩ରେ ରାୟଗଡ଼ାରେ ଜନସଭା କରିବେ। ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଆସନ୍ତା ୫ କିମ୍ବା ୯ ତାରିଖରେ ପ୍ରିୟଙ୍କା ମଧ୍ୟ ଓଡ଼ିଶା ଆସିପାରନ୍ତି। ପ୍ରିୟଙ୍କାଙ୍କ ନିର୍ବାଚନୀ ସଭା ପାଇଁ ପିସିସି ପକ୍ଷରୁ ଏଆଇସିସିକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଖୁବ୍ଶୀଘ୍ର ତାଙ୍କ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଅନୁରୂପ ଭାବେ ରାହୁଲ ଓ ପ୍ରିୟଙ୍କାଙ୍କ ବ୍ୟତୀତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ କଂଗ୍ରେସର ଜାତୀୟସ୍ତରର ଅନ୍ୟ ବରିଷ୍ଠ ନେତା ମଧ୍ୟ ପ୍ରଚାର ପାଇଁ ଓଡ଼ିଶା ଆସିବେ।
Powered by Froala Editor