ରଥଯାତ୍ରାରେ ସାମିଲ ସବୁ ବ୍ୟକ୍ତିଙ୍କ ୪ ଥର କରୋନା ଟେଷ୍ଟ ହେବ
ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବାକୁ ଯାଉଥିବା ବେଳେ ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ପୋଲିସ ଓ ରଥଯାତ୍ରାରେ ନିୟୋଜିତ ଵ୍ୟକ୍ତିମାନଙ୍କ ୪ଟି ପର୍ଯ୍ୟାୟରେ କୋଭିଡ ପରୀକ୍ଷା କରାଯିବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ ଦିନ ପରେ ଏ ସମସ୍ତଙ୍କର RTPCR ଟେଷ୍ଟ କରାଯିବ। ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ମଧ୍ୟ ଦିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ପୁରୀ ଜିଲାପାଳ, ବରିଷ୍ଠ ସେବାୟତ ଭାଗ ନେଇଥିଲେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଅନେକ କଟକଣା ମଧ୍ୟ ରଖାଯାଇଛି। ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା ନହେଲେ ବି ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ। ତେବେ କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି ସଂପନ୍ନ କରାଯାଇପାରିବ। ତେଣୁ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ସହ ସବୁ ସେବାୟତ ଓ ଅଧିକାରୀଙ୍କ ହେବ ଟିକାକରଣ। ଏଥିରେ ନୋଡାଲ ଅଧିକାରୀ ନିୟୋଜିତ ରହିବେ। ଏନେଇ ବିସ୍ତୃତ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରାଯାଇଛି।
Powered by Froala Editor