ବଡ଼ ତଥ୍ୟ ଦେଲା ‘ପବ୍ଲିକ ଆଇ’: ଭାରତକୁ ଆସୁଥିବା ସେରେଲାକ୍ରେ ମିଶୁଛି ଅଧିକ ଚିନି
![ବଡ଼ ତଥ୍ୟ ଦେଲା ‘ପବ୍ଲିକ ଆଇ’: ଭାରତକୁ ଆସୁଥିବା ସେରେଲାକ୍ରେ ମିଶୁଛି ଅଧିକ ଚିନି](https://odishanewslens.com/news_gallery/29441_1713469446.jpg)
ଭାରତୀୟ ଶିଶୁମାନଙ୍କ ଖାଦ୍ୟକୁ ନେଇ ଏକ ବଡ଼ ତଥ୍ୟ ମିଳିଛି। ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ଏକ ୱେବସାଇଟ ‘ପବ୍ଲିକ ଆଇ’ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେତେବେଳେ ନେସଲେ ବ୍ରିଟେନ ଏବଂ ଜର୍ମାନୀ ଭଳି ବିକଶିତ ଦେଶରେ ଏହି ବେବିଫୁଡ୍ ବ୍ରାଣ୍ଡ ବିକ୍ରୟ କରନ୍ତି, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ। ତେବେ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍ ଚିନି ରହୁଛି।
ନେସଲେ ସ୍ବିଜରଲ୍ୟାଣ୍ଡର ଏକ ପ୍ରସିଦ୍ଧ କମ୍ପାନୀ, ଯାହାର ଉତ୍ପାଦ ସମଗ୍ର ବିଶ୍ୱରେ ବିକ୍ରି ହୁଏ। ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ବିକ୍ରି ହେଉଥିବା ସମସ୍ତ ୧୫ ସେରେଲାକ ଶିଶୁ ଉତ୍ପାଦରେ ନିର୍ଦ୍ଦିଷ୍ଟ ପରିମାଣ ତଥା ହାରାହାରି ୩ ଗ୍ରାମ ଚିନି ରହିଥାଏ। ପିଲାମାନଙ୍କୁ ଏକ ସମୟରେ କେତେ ପରିମାଣର ସେରେଲାକ ଦିଆଯିବା ଉଚିତ ତାହା କମ୍ପାନୀ କହିଛି । ଆଫ୍ରିକାର ଇଥିଓପିଆ ଏବଂ ଏସିଆର ଥାଇଲ୍ୟାଣ୍ଡ ଭଳି ଦେଶରେ ୬ ଗ୍ରାମ ଚିନି ମିଳିଛି। ଏଠାରେ ଧ୍ୟାନ ଦେବା କଥା ହେଉଛି. ଯେତେବେଳେ ସମାନ ଉତ୍ପାଦ ଜର୍ମାନୀ ଏବଂ ବ୍ରିଟେନ ପରି ବିକଶିତ ଦେଶରେ ବିକ୍ରି ହୁଏ, ସେତେବେଳେ ସେଗୁଡ଼ିକରେ ଚିନି ନ ଥାଏ।
ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେସଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଏହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି।
ତେବେ, ନେସଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦ ଗୁଡିକର “ସମୀକ୍ଷା” ଜାରି ରଖିଛି।
Powered by Froala Editor