ଶୀଘ୍ର ଜାମିନ ପାଇଁ ଜେଲ୍ରେ ମିଠା, ଆମ୍ବ ଖାଉଛନ୍ତି କେଜ୍ରିୱାଲ : ଇଡି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ସାଂଘାତିକ ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ। ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି। ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି। ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି।
ଇଡି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜୁହୁବ ହୁସେନ୍ କୋର୍ଟରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଘରୁ ଜାଣିଶୁଣି ଏଭଳି ଖାଦ୍ୟ ଆସୁଛି, ଯାହା ତାଙ୍କ ସର୍କରା ସ୍ତରକୁ ବଢାଇବ । ଓକିଲ କହିଛନ୍ତି, “ସେ ଜାଣିଶୁଣି ଆଳୁ, ପୁରୀ, ଆମ୍ବ, ମିଠା ଖାଦ୍ୟ ଖାଉଛନ୍ତି ଏବଂ ଏସବୁ ତାଙ୍କୁ ଘରୁ ପଠାଯାଉଛି । ମିଠା ଖାଇବା ଦ୍ୱାରା ତାଙ୍କର ରକ୍ତ ସର୍କରା ବୃଦ୍ଧି ପାଇବ ଓ ସେ ସହଜରେ ଜାମିନ ପାଇପାରିବେ। ”
ତେବେ କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ ଇଡି ଓକିଲଙ୍କ ଯୁକ୍ତିକୁ ବିରୋଧ କରି କହିଛନ୍ତି ଯେ ଗଣମାଧ୍ୟମ ପାଇଁ ଏହି ବିବୃତ୍ତି ଦିଆଯାଉଛି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ଖାଲିପେଟରେ ଶର୍କରା ୨୪୩ ଥିଲା, ଯାହା ବହୁତ ଅଧିକ ଥିଲା । ତାଙ୍କୁ କେବଳ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାଦ୍ୟ ଦିଆଯାଉଛି।” ଏହି ଯୁକ୍ତି ଶୁଣିବା ପରେ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲଙ୍କୁ କହିଛନ୍ତି ଯେ ଆମେ ଜେଲରୁ ରିପୋର୍ଟ ମାଗିବୁ। କୋର୍ଟ କହିଛନ୍ତି ଯେ ଆପଣ ଆମକୁ ଅରବିନ୍ଦ କେଜ୍ରିୱାଲଙ୍କ ଡାଏଟ୍ ଚାର୍ଟ ପ୍ରଦାନ କରନ୍ତୁ । ଇଡି କହିଛି ଯେ ଆପଣ ଜେଲର ଡିଜିଙ୍କ ଠାରୁ ରିପୋର୍ଟ ମାଗି ପାରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯ ତାରିଖରେ ହେବ।
Powered by Froala Editor