ଦାନ କରିଦେଲେ ଅଙ୍ଗ, ସଂଯୁକ୍ତା ହୋଇଗଲେ ଅମର
କଟକ :ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାଡାଭରିକ କିଡ୍ନୀ ପ୍ରତିରୋପଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍ନୀ ପ୍ରତିରୋପଣ ହୋଇଛି। ଏଥି ସହିତ କଟକ ବଡ଼ ମେଡ଼ିକାଲରେ କାଡାଭରିକ କିଡ୍ନୀ ପ୍ରତିରୋପଣ ସଂଖ୍ୟା ୧୫ରେ ପହଞ୍ଚିଛି। ଏସ୍ସିବି ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ଡା. ସମୀର ସ୍ବାଇଁଙ୍କ ନେତୃତ୍ବରେ ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡା.ଅରୁଣା ଆଚାର୍ଯ୍ୟ, ଡା. ସଞ୍ଜୟ ଚୌଧୁରୀ, ଡା. ପ୍ରୀତମ ପଟ୍ଟନାୟକ, ଡା. ରାକେଶ ରାଉତରାୟ, ଡା.ଉଦୟ ବେହେରା ପ୍ରତିରୋପଣରେ ସାମିଲ ଥିଲେ। ସଂଯୁକ୍ତା ପାତ୍ର ଙ୍କ ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କ ଶରୀରରୁ ଦୁଇଟି ବୃକ୍କ ଓ ଯକୃତକୁ ପ୍ରତିରୋପଣ ପାଇଁ କଢା ଯାଇଥିଲା। ୨ଟି ବୃକକରୁ ଗୋଟିଏ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଆଉ ଗୋଟିଏ ଏସ୍ସିବି ମେଡ଼ିକାଲରେ ପ୍ରତିରୋପଣ କରାଯାଇଛି। ସଂଯୁକ୍ତାଙ୍କ ଯକୃତକୁ ହାଇଦ୍ରାବାଦ ପଠାଯାଇଥିବା ସୂଚନା ମିଳିଛି।
Powered by Froala Editor