ଉଧାର ଟଙ୍କାକୁ ନେଇ ବିବାଦ : ଯୁବକଙ୍କ କୋଟିଏ ଟଙ୍କାର ଲମ୍ବୋର୍ଗିନି କାର୍ ଜାଳିଦେଲେ
ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର । କିନ୍ତୁ ଜଣେ ଯୁବକ ସାମାନ୍ୟ ରାଗ ସୁଝାଇବା ପାଇଁ କୋଟିଏ ଟଙ୍କାର ଏହି କାର୍କୁ ଜାଳି ଦେଇଛନ୍ତି । ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଲମ୍ବୋର୍ଗିନି କାରରେ ନିଆଁ ଲାଗିଯାଇଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କାରଟି ଜଳୁଥିବା ଦେଖିବାକୁ ମିଳିଛି। କୁହାଯାଇଛି ଯେ ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତ କାର ମାଲିକଙ୍କ ନିକଟରୁ କିଛି ଟଙ୍କା ପାଇବାର ଥିଲା। ହେଲେ ଏହା ନ ମିଳିବାରୁ ସେ ଏହି ଦାମି କାରକୁ ବିଚ ରାସ୍ତାରେ ନିଆଁ ଲଗାଇ ଦେଇଛନ୍ତି।
ସୋମବାର ହାଇଦ୍ରାବାଦ ପୁଲିସ କହିଛି ଯେ ହାଇଦ୍ରାବାଦରେ ରହୁଥିବା ପୀଡ଼ିତ ଯୁବକ ୧କୋଟି ଟଙ୍କାର ଲମ୍ବୋର୍ଗିନି କିଣିଥିଲେ। କିଛି ବର୍ଷ ବ୍ୟବହାର କରିବା ପରେ ସେ ଏହାକୁ ବିକିବାକୁ ଚାହୁଥିବାରୁ ନିଜ ବନ୍ଧୁମାନଙ୍କୁ କିଣିବାକୁ ଚାହୁଥିବା ଲୋକ ଖୋଜିବାକୁ କହିଥିଲେ। କିଛି ଦିନ ପରେ ପୁରୁଣା କାର ବିକା-କିଣା କରୁଥିବା ଜଣେ ଯୁବକ ଲମ୍ବୋର୍ଗିନି କିଣିବାକୁ ଚାହିଥିଲେ। ଏହା ସହ କାର୍ ନେଇ ମାମିଡିପାଲ୍ଲୀକୁ ଆସିବାକୁ କହିଥିଲେ। ଏପ୍ରିଲ ୧୩ରେ ପୀଡ଼ିତ କାର୍ ନେଇ ପହଞ୍ଚିବା ପରେ ଅଭିଯୁକ୍ତ ପେଟ୍ରୋଲ ଢ଼ାଳି କାରରେ ନିଆଁ ଲଗାଇ ଦେଇଥିଲେ।
ପୁରୁଣା କାର କିଣିବା ଏବଂ ବିକ୍ରୟ ସହ ଜଡିତ ଜଣେ ବ୍ୟକ୍ତିଙ୍କର ଲମ୍ବୋର୍ଗିନି କାର ମାଲିକଙ୍କ ସହ ବିବାଦ ହୋଇଥିଲା। ଏହା ପରେ ସେହି ବ୍ୟକ୍ତି କିଛି ଲୋକଙ୍କ ସହ ମିଶି ଏହି ମହଙ୍ଗା ଗାଡ଼ିଟିକୁ ରାସ୍ତାରେ ନିଆଁ ଲଗାଇ ଦେଇଥିଲେ। ଯୁବକ ଟଙ୍କା ଉଧାର ନେଇ ଦେଉନଥିବାରୁ ରାଗରେ ଏଭଳି କରିଥିବା କହିଛି ଅଭିଯୁକ୍ତ। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ହାଇଦ୍ରାବାଦର ପହରୀ ସରିଫ ଅଞ୍ଚଳରେ ଘଟିଛି। ଉକ୍ତ ଅଞ୍ଚଳର ବିମାନବନ୍ଦର ରୋଡରେ କାରଟି ଜଳିଯାଇଥିଲା। ତେବେ ପ୍ରକୃତ ସତ ଜାଣିବା ପାଇଁ ପୁଲିସ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।
Powered by Froala Editor