ପୁରୀ ବେଳାଭୂମିରେ ପଡିରହିଛି ଶହ ଶହ ଜେଲିଫିସଙ୍କ ମୃତଦେହ
ପୁରୀ: ପୁରୀ ବେଳାଭୂମିରେ ଅଲିଭ ରିଡଲେଙ୍କ ମୃତଦେହ ସାଙ୍ଗକୁ ଶହ ଶହ ଜେଲିଫିସ୍ ପଡ଼ିଛନ୍ତି । ପୁରୀକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏହାର ବେଳାଭୂମିରେ କିନ୍ତୁ ଦୁର୍ଗନ୍ଧମୟ ପରିବେଶ ଦେଖିବାକୁ ମିଳୁଛି । ଫଳରେ ପର୍ଯ୍ୟଟକମାନେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି।
ପୁରୀର ଦିଗବାରେଣୀ ଛକ ବେଳାଭୂମିରେ ଗତ ୩ ଦିନ ହେଲାଣି ଶହ ଶହ ଜେଲିଫିସ୍ ପଡ଼ି ରହିଛନ୍ତି। ଏଥିସହ ବହୁ କଇଁଛଙ୍କ ମୃତଦେହ ପଡ଼ିଥିବା ବେଳେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି ।
୨୦୨୨ ଜୁନରେ ପୁରୀ ବେଳାଭୂମିରେ ଏମିତି ଜେଲିଫିସ୍ ଦେଖିବାକୁ ମିଳିଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିବାରୁ ବହୁ ପର୍ଯ୍ୟଟକଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଜେଲିଫିସ୍ ଲାଳ ଲୋକଙ୍କ ଦେହରେ ଲାଗିଲେ ଜୋରରେ କୁଣ୍ଡାଇ ହୋଇଥାଏ। ନାଲି ପଡିଯାଇଥାଏ।
ଏତେ ସଂଖ୍ୟକ ଜେଲିଫିସ୍ ବେଳାଭୂମିରେ ପଡ଼ିଥିବା ଖବର ସମ୍ପର୍କରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ବିଶେଷଜ୍ଞ କହିଛନ୍ତି, ଗତ କିଛି ଦିନ ହେବ ଖରାର ପ୍ରକୋପ ବଢ଼ିଥିବାରୁ ସମୁଦ୍ର ଭିତରେ ତାତି ପ୍ରବଳ ରହିଥିଲା। ଫଳରେ ଜେଲି ଫିସ ଏକତ୍ରିତ ହୋଇ ପବନ ହୋଇଥିବା ଦିଗ ଅଭିମୁଖେ ଭାସି ଆସି ବେଳାଭୂମିରେ ଲାଗିଛନ୍ତି। ସେମାନଙ୍କୁ ତୁରନ୍ତ ବେଳାଭୂମିରୁ ନ ହଟାଇଲେ ପ୍ରଦୂଷଣର ମାତ୍ର ବଢ଼ିଯିବ ।
Powered by Froala Editor