ଚାକିରି ହରାଇବେ ୩୦ ଲକ୍ଷ ଆଇଟି କର୍ମଚାରୀ

ମହାମାରୀରେ ବେକାରୀ ସମସ୍ୟା ବଢିଚାଲିଛି । ଲୋକେ ଜୀବିକା ହରାଉଛନ୍ତି । ଆଉ କିଛି ଅନ୍ୟ ପନ୍ଥା ଆପଣାଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ପୁଣି ଏକ ବଡ ଖବର ମିଳିଛି । ଆଇଟି କମ୍ପାନୀ ମଧ୍ୟ ବଡ ଧରଣର ଛଟେଇ କରିବ ବୋଲି ସୂଚନା ମିଳିଛି । ଏପରି ହେଲେ ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ଚାକିରି ହରାଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ରୋବଟ ପ୍ରସେସ ଅଟୋମେସନ ପ୍ରକ୍ରିୟାରେ ୩୦ ଲକ୍ଷ କର୍ମଚାରୀ ହ୍ରାସ କରିବା ଲାଗି ଟିସିଏସ, ଇନଫୋସିସ, ୱିପ୍ରୋ, ଏଚସିଏଲ, ଟେକ୍ ମହିନ୍ଦ୍ରା ଓ କଗ୍ନିଜାଣ୍ଟ ଭଳି କମ୍ପାନି ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।
ବିଭିନ୍ନ ଟେକ୍ ଫାର୍ମ, ଆଇଟି କମ୍ପାନୀ ପକ୍ଷରୁ କରାଯାଉଥିବା ଅଟୋମେସନ ପ୍ରକ୍ରିୟାରେ କମ୍ପାନୀମାନେ ବାର୍ଷିକ ୧୦୦ ବିଲିୟନ ଡଲାର ବଞ୍ଚାଇ ପାରିବେ ବୋଲି ରିପୋର୍ଟରେ କୁହାଯାଇଛି ।ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେର ଆଣ୍ଡ ସର୍ଭିସ କମ୍ପାନୀଜ ବା ନାସକମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ବିଭିନ୍ନ ଆଇଟି କମ୍ପାନୀରେ ଏବେ ୧୬ ନିୟୁତ କର୍ମଚାରୀ କାମ କରୁଛନ୍ତି । ସେହିପରି ବିଭିନ୍ନ ଲୋ-ସ୍କିଲ କ୍ଷେତ୍ର ଓ ବିପିଓରେ ପ୍ରାୟ ୯୦ ଲକ୍ଷ ଲୋକ କାମ କରୁଛନ୍ତି । ଏଭଳିସ୍ଥିତିରେ ଯଦି ଅଟୋମେସନ ହୁଏ, ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ଜୀବିକା ହରାଇବେ । ରୋବଟ ପ୍ରସେସ ଅଟୋମେସନ ଉପରେ ଏବେ ଅଧିକାଂଶ କମ୍ପାନୀ ଗୁରୁତ୍ବ ଦେଉଛନ୍ତି । କମ ଦିନ ଭିତରେ ଏହି ପ୍ରକ୍ରିୟାର ଫଳ କର୍ମଚାରୀମାନେ ଭୋଗ କରିବା ଆଶଙ୍କା ଦେଖାଦେଇଛି ।
Powered by Froala Editor