ଗୋପନରେ ବିବାହ କଲେ ଅଦିତି-ସଦ୍ଧାର୍ଥ
![ଗୋପନରେ ବିବାହ କଲେ ଅଦିତି-ସଦ୍ଧାର୍ଥ](https://odishanewslens.com/news_gallery/28948_1711571501.jpg)
ଅଦିତି ତାଙ୍କ ଦୀର୍ଘ ଦିନର ପ୍ରେମିକ ସିଦ୍ଧାର୍ଥଙ୍କୁ ହାଇଦରାବାଦର ଏକ ମନ୍ଦିରରେ ବିବାହ କରିଛନ୍ତି। ଏହା ଉଭୟଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ଦୁଇ ତାରକାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅଦିତି ପୂର୍ବରୁ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିବା ବେଳେ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କର ପ୍ରଥମ ବିବାହ ଚାଲିଥିଲା । ସେହିପରି ସିଦ୍ଧାର୍ଥ ୨୦୦୩ରେ ପ୍ରଥମ ବିବାହ କରିଥିବା ବେଳେ ୨୦୦୭ରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା ।
ଅଦିତି ଓ ସିଦ୍ଧାର୍ଥ ଦୁହେଁ ତେଲେଙ୍ଗାନାର ରଙ୍ଗାନାଥ ମନ୍ଦିରରେ ଗୁପ୍ତ ଭାବେ ବିବାହ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅଦିତି ଏବଂ ସିଦ୍ଧାର୍ଥଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଆସୁଛି। ଏବେ ଉଭୟ ବିବାହ କରି ନିଜ ସମ୍ପର୍କରେ ମୋହର ଲଗାଇଛନ୍ତି। ମିଳିଥିବା ସୂଚନା ମୁତାବକ, ପରିବାର ସଦସ୍ୟ ଓ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସମାରୋହ ସମ୍ପନ୍ନ ହୋଇଛି। ପାରମ୍ପରିକ ରୀତି ନୀତି ଅନୁସାରେ ଉଭୟ ବିବାହ କରିଛନ୍ତି।
୩୭ ବର୍ଷୀୟା ଅଦିତି ହିନ୍ଦି, ତାମିଲ, ମାଲୟାଲମ୍ ଓ ତେଲୁଗୁ ଭାଷାର ବିଭିନ୍ନ ଫିଲ୍ମରେ ଅଭିନୟ କରିଛନ୍ତି । ମାଲୟାଲମ୍ ଫିଲ୍ମ 'ପ୍ରଜାପତି' ଜରିଆରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ । ସେହିପରି ୪୪ ବର୍ଷୀୟ ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ହିନ୍ଦି, ତାମିଲ, ତେଲୁଗୁ ଫିଲ୍ମରେ ଅଭିନୟ କରିବା ସହିତ ଜଣେ ସ୍କ୍ରିନ ରାଇଟର, ପ୍ରଯୋଜକ ଓ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପରିଚିତ ଅଟନ୍ତି ।
Powered by Froala Editor