ଥ୍ରିଡି ଲାଇଟ୍ ରେ ଝଲସିବ ଶ୍ରୀମନ୍ଦିର
ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକୁ ଅନ୍ଧକାରରେ ବି ଦୂରରୁ ଦେଖିପାରିବେ ଭକ୍ତ | ସନ୍ଧ୍ୟା ହେଲେ ଝଲସିବ ଶ୍ରୀମନ୍ଦିର | ଚାରିଆଡ଼େ ଲାଗିବ ଦାମୀ ଥ୍ରିଡି ଲାଇଟ୍ | ଶ୍ରୀମନ୍ଦିରର ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପାଚେରି ଝଲସିବ | ଆସନ୍ତା ୧୭ ତାରିଖରୁ ଏହି ଆଲୋକୀକରଣ କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ | ଏହି ପ୍ରକଳ୍ପର ନାମ ‘ଫେକେଡ୍ ଇଲୁମିନସେନ୍ ପ୍ରୋଜେକ୍ଟ’ ହୋଇଥିବାବେଳେ ଏହା ଜରିଆରେ ଦାମୀ ଲାଇଟ୍ ସବୁ ଶ୍ରୀମନ୍ଦିର ଅଁଳାବେଢ଼ା, ଭୋଗମଣ୍ଡପ, କୁରୁମବେଢ଼ା, ଭିତର ଗୁମୁଟ, ବାଇଶି ପାହାଚ ଆଦି ସ୍ଥାନରେ ଲାଗିବ। ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାରରେ ବି ଆଲୋକୀକରଣ ବ୍ୟବସ୍ଥା କରାଯିବ।
ଏକ ତିନିଜଣିଆ ବୈଷୟିକ ଦଳ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି | କେଉଁଠାରୁ ବିଜୁଳି ସଂଯୋଗ ନିଆଯିବ, କେଉଁ କେଉଁ ସ୍ଥାନରେ ଲାଇଟ୍ ଲାଗିଲେ ଶ୍ରୀମନ୍ଦିର ସୁନ୍ଦର ଦିଶିବ, ସବୁର ଟିକିନିଖି ଅନୁଧ୍ୟାନ କରି ଫେରିଛନ୍ତି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଦେଢ଼କୋଟି ଟଙ୍କା ଖର୍ଚ୍ଚ କରିବ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍କୋସ୍’ ଏହି କାମ କରିବ।
ଏହିଠାରେ ସୂଚନା ଯେ , ପୂର୍ବରୁ କୋଣାର୍କରେ ଏହି କାମ ଆରମ୍ଭ ହୋଇ ସାରିଥିବାବେଳେ ଶ୍ରୀମନ୍ଦିର ପରେ ଭୁବନେଶ୍ବର ରାଜାରାଣୀ ମନ୍ଦିରରେ ବି ଏଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ।
Powered by Froala Editor