ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ସିଟ ଜିତିବ: ନୃସିଂହଚରଣ ସାହୁ
ଭୁବନେଶ୍ୱର: ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେଡି ବିଧାୟକ ନୃସିଂହଚରଣ ସାହୁ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଉଭୟ ଦଳ ଭିତରେ ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ସିଟ ଜିତିବ । ମେଣ୍ଟ ବାବଦରେ ଶୁଣୁଛୁ । କିନ୍ତୁ ବିଜେଡି ସୁମ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କେବଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ମେଣ୍ଟ ପାଇଁ କେବଳ ରାଜି ହୋଇଛି । ମେଣ୍ଟ ହେଲେ କିଛି ଲୋକଙ୍କ ଟିକେଟ କଟିବ, କେହି ବିଦ୍ରୋହୀ ହେବେନି ବୋଲି ନୃସିଂହ ଚରଣ ସାହୁ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୁଣି ମେଣ୍ଟ ଚର୍ଚ୍ଚା ଭିତରେ ଆଉ ଏକ ବଡ଼ ବୟାନ ଦେଇଛନ୍ତି । ଭଦ୍ରକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ଦୋହରାଇଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି କିଏ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯିଏ ମେଣ୍ଟ ସମ୍ପର୍କରେ ଚର୍ଚ୍ଚା କରୁଛି ସେ ହିଁ ତା’ର ଉତ୍ତର ଦେଇପାରିବ । ଏପରିକି ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆସନ ବୁଝାମଣା ଲାଗି ବିଜେଡି ପକ୍ଷରୁ ଦିଲ୍ଲୀ ଯାଇଥିବା ୨ ନେତା ଲୋକ ସଭାର ୧୨ରୁ ୧୪ ମଧ୍ୟରେ ଆସନ ଛାଡ଼ିଦେବାକୁ କୁଣ୍ଠାବୋଧ କରିନାହାନ୍ତି। ହେଲେ ଯେତିକି ବିଧାନସଭା ଆସନ ବିଜେପି ଚାହୁଁଛି ସେଥିରେ ବିଜେଡି ରାଜି ନାହିଁ। ପ୍ରାୟ ୫୦ ବିଧାନସଭା ଆସନ ବିଜେପି ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏକଥା ଶୁଣିବା ପରେ ବିଜେଡି ନେତା ସବୁ ନିର୍ବାଚନମଣ୍ଡଳୀ ଓ୍ବାରି କରିଥିବା ସର୍ଭେ ରିପୋର୍ଟ ବିଜେପି କେନ୍ଦ୍ରୀୟ ନେତାଙ୍କ ଆଗରେ ରଖି ଦେଇଥିଲେ। ଆଉ ଓଡ଼ିଶାରେ ବିଜେପିର ବାସ୍ତବ ସ୍ଥିତି କ’ଣ ତାକୁ ଦେଖିବାକୁ କହିଥିଲେ। ବିଜେଡି ଉପସ୍ଥାପନ କରିଥିବା ରିପୋର୍ଟ ମୁତାବକ ବିଜେପି ରାଜ୍ୟରେ ଅତିବେଶି ହେଲେ ୨୦ରୁ ୨୫ ବିଧାନସଭା ଆସନ ନେବ। ତା’ଠାରୁ ଅଧିକ ଆସନ ଯେହେତୁ ବିଜେପି ନେଉନାହିଁ ତେଣୁ ବିଧାନସଭାରେ ଅତିବେଶିରେ ସର୍ଭେ ଅନୁୟାୟୀ ଆସନ ଛାଡ଼ିଦେବାକୁ ବିଜେଡି ରାଜି ଅଛି। ହେଲେ ଲୋକ ସଭାରେ ପାଖାପାଖି ୧୪ ଆସନ ବିଜେପିକୁ ଛାଡ଼ି ଦେବା ଲାଗି ବିଜେଡି ସହମତି ପ୍ରକାଶ କରିଛି। ଅପରପକ୍ଷରେ ବିଜେପି ରାଜ୍ୟ ନେତୃବୃନ୍ଦ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ କିନ୍ତୁ ମେଣ୍ଟ ପାଇଁ କୁଆଡେ ରାଜି ହେଉ ନ ଥିବା କୁହାଯାଉଛି। ଏକଥାକୁ କେନ୍ଦ୍ରର ଶୀର୍ଷ ନେତୃତ୍ୱ ରାଜ୍ୟ ନେତୃବୃନ୍ଦଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି।
Powered by Froala Editor