କଟକ ତାରକସିକୁ ମିଳିଲା ଜିଆଇ ମାନ୍ୟତା
ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ (ଜିଆଇ) ମାନ୍ୟତା ମିଳିଛି। ଏହାଦ୍ୱାରା ଓଡ଼ିଶାର ଜିଆଇ ଟ୍ୟାଗ୍ ତାଲିକାରେ ରୁପା ତାରକସି ୨୬ ନମ୍ବର ସ୍ଥାନରେ ରହିଛି। ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାଯାଇଛି।
କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ (ଜିଆଇ) ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହ୍ୟାଣ୍ଡେଲରେ ଓଡ଼ିଶାବାସୀ ତଥା କଟକବାସୀ ଓ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହା ଓଡିଶା ପାଇଁ ସମ୍ମାନର ବିଷୟ।
ତେବେ କଟକ ତାରକସିକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସହରବାସୀଙ୍କ ସମେତ ଗହଣା କାରିଗରମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସୃଷ୍ଟି ହୋଇଛି। ଅଖିଳ ଭାରତୀୟ ସ୍ବର୍ଣ୍ଣକାର ସଂଘର ଯୁଗ୍ମ ସମ୍ପାଦକ ତଥା ଉତ୍କଳ ସ୍ବର୍ଣ୍ଣ-ରୌପ୍ୟ ଶିଳ୍ପୀ ସଂଘର ଯୁବ ସଭାପତି ଭାନୁପ୍ରତାପ ସାହୁ କୁହନ୍ତି, କଟକର ରୁପା ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ବହୁତ ଦିନ ହେବ ଆମେମାନେ ଲାଗିଥିଲୁ। ଯାହାହେଉ ଏବେ ମିଳିଲା, ଆମ ଜାତି ପାଇଁ, କାରିଗରମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
କଟକର ରୁପା ତାରକସି କାରୁକାର୍ଯ୍ୟ ବିଶ୍ୱପ୍ରସିଦ୍ଧ। ହେଲେ ଏହି ଅନନ୍ୟ ଶିଳ୍ପକୁ ଦୀର୍ଘ ବର୍ଷ ଧରି ଜିଆଇ ଟ୍ୟାଗ୍ ମିଳିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦି ଓଡ଼ିଶା ଷ୍ଟେଟ୍ କୋଅପେରେଟିଭ ହ୍ୟାଣ୍ଡିକ୍ରାଫ୍ଟସ୍ କର୍ପୋରେଶନ ଲିମିଟେଡ୍ (ଉତ୍କଳିକା) ପକ୍ଷରୁ ରୁପା ତାରକସିକୁ ଜିଆଇ ଟ୍ୟାଗ୍ ପ୍ରଦାନ ନିମନ୍ତେ ୨୦୨୧ରେ ଆବେଦନ କରିଥିଲା।
ଆବେଦନରେ ଦର୍ଶାଯାଇଥିଲା ଯେ, ରୁପାର ତାରକସିର କାରୁକାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀରୁ କଟକ ସହରରେ ଆରମ୍ଭ ହୋଇଛି। ଏହି କାରୁକାର୍ଯ୍ୟ ଜରିଆରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା ଗହଣା ସମେତ ବିଭିନ୍ନ ଅଳଙ୍କାର, ସାଜସଜ୍ଜା ନିମନ୍ତେ ବ୍ୟବହାର କରାଯାଉଥିବା କାରୁଖଚିତ ସାମଗ୍ରୀ, ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ମନ୍ଦିରର ପ୍ରତିକୃତି, ଦୁର୍ଗାପୂଜା ସମୟରେ ଦେବୀଙ୍କୁ ଲାଗି କରାଯାଉଥିବା ଅଳଙ୍କାର ଓ ମେଢ଼ରେ ଚାନ୍ଦିର ସାଜସଜ୍ଜା ଏକ ଅନନ୍ୟ ଆକର୍ଷଣ ତଥା ପରମ୍ପରା ପାଲଟିଛି।
Powered by Froala Editor