ଆର୍ମି ପୋଷାକ ବିକ୍ରି କରି ଫସିଲେ ଦୋକାନୀ

ଦୋକାନରେ ଖୋଲାଖୋଲି ବିକ୍ରି ହେଉଥିଲା ସେନା ପୋଷାକ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରୁ । ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ରେଡ କରି ୪୮୮ ମିଟର କପଡ଼ା ଜବତ କରିଛନ୍ତି।
ବ୍ରହ୍ମପୁର ଉପକଣ୍ଠରେ ରହିଥିବା ଆର୍ମି ଏଡ଼ି କଲେଜର ଜଣେ ଯବାନ ରାମବାବୁ ଡ଼ାଙ୍ଗୀ ବ୍ରହ୍ମପୁରର ରହିଥିବା ଗଞ୍ଜାମ ଗେଲେକ୍ସି ଦୋକାନରେ ସେନାର ନୂତନ ପୋଷାକ ବିକ୍ରି କରାଯାଉଥିବା ନେଇ ମିଲିଟାରୀ ଇଣ୍ଟିଲିଜେନ୍ସ ୟୁନିଟକୁ ଜଣାଇଥିଲେ । ଖବର ପାଇବା ପରେ ଟାଉନ ଥାନା ପୋଲିସ ଗଞ୍ଜାମ ଗେଲେକ୍ସି ଦୋକାନରେ ଚଢ଼ାଉ କରି ୪୮୮ ମିଟର କପଡ଼ାକୁ ଜବତ କରିଥିଲା । ଜବତ କପଡ଼ାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି ।
ଏଭଳି ବେଆଇନ ଭାବେ ସ୍ଥଳ ସେନାର ପୋଷାକ ବିକ୍ରି କରୁଥିବା ଅଭିଯୋଗରେ ଦୋକାନୀଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି ଆଇନ ସମ୍ପର୍କରେ ଜାଣିନଥିବା କହିଛନ୍ତି ଦୋକାନ ମାଲିକ । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଧରି ଏହି ଦୋକାନରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଠାରୁ ସେନା ବାହିନୀର ପୋଷାକ ମଧ୍ୟ ବିକ୍ରି ହେଉଥିଲା । ଆଉ ଏହି ପୋଷାକ କିଣିବା ନିମନ୍ତେ ବହୁ ସେନାବାହିନୀ ମଧ୍ୟ ଦୋକାନକୁ ଆସି ପୋଷାକ ନେଉଥିଲେ ବୋଲି ସେ କହିଛନ୍ତି। ସେ ଏହାକୁ କଲିକତାରୁ ଆଣିଥିବା ବେଳେ ଲୁଧିଆନାରେ ତାହା ତିଆରି ହେଉଥିବା କହିଛନ୍ତି।
ମାତ୍ର ସେଠାରେ କିଏ ଏହାକୁ ଡିଜାଇନ କରୁଛନ୍ତି, ଏଥିପାଇଁ କିଏ ଲାଇସେନ୍ସ ଦେଲା ତାହାର ତଦନ୍ତ ହେଉଛି। ଆଉ କେଉଁ କେଉଁ ଜାଗାରେ ଏହି କପଡା ବିକ୍ରି ହେଉଛି ତାହାର ବି ତଦନ୍ତ ଆରମ୍ଭ ହୋଇଛି।
Powered by Froala Editor