ଏବେଠାରୁ ପାରଦ ଉପର ମୁହାଁ, ବର୍ଷିବ ନିଆଁ
ଭୁବନେଶ୍ୱର : ଏବେଠାରୁ ପାରଦ ଉପର ମୁହାଁ । ଆଗକୁ ତା’ହେଲେ ବର୍ଷିବ ନିଆଁ । ଶୀତର ବେଳ କାଳ ସରିନି। ମାଡ଼ି ଆସିଲାଣି ଟାଏଁ ଟାଏଁ ଖରା । ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ୱର ତାପମାତ୍ରା ବି ପ୍ରାୟ ସେତିକି (୩୪.୪ ଡିଗ୍ରୀ) । ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ । ରାଜ୍ୟର ୧୩ ସହରରେ ମଙ୍ଗଳବାର ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲିସିୟସ୍ ଡେଇଁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା । ଶୀତ କୁଆଡ଼େ ହଜିଯାଇଛି ।
ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ଅଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ଅଛି । ସ୍ଥିତି ଏମିତି ଯେ ଫେବ୍ରୁଆରୀ ଆରମ୍ଭରୁ ହିଁ ଏସି, ପଙ୍ଖା ବିନା ରହି ହେଉନି । ବାହାରେ ଖରା ବାଧିଲାଣି, ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା । ସାଧାରଣତଃ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧୀରେ ଧୀରେ ବଢ଼ିଥାଏ । ମାତ୍ର ଏଥର ପ୍ରଥମ ସପ୍ତାହରୁ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ନାକେଦମ୍ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୧୦ ତାରିଖବେଳକୁ ପାଗ ବଦଳିବ। ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ହୋଇପାରେ । ଏଥିରେ ଦିନ ତାପମାତ୍ରା କମିବ । ପାଗ କୋହଲା ବା କୁହୁଡ଼ିଆ ରହିପାରେ । ଏହାସହ ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁନାହିଁ । ଅସ୍ୱାଭାବିକ ଭାବେ ତାପମାତ୍ରା ବଢ଼ିଛି । ଭୁବନେଶ୍ୱର ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ସମଗ୍ର ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି । ୧୦ରୁ ପାଗ ବଦଳିବା ସମ୍ଭାବନା ଅଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ପାଣିପାଗରେ ଅଚାନକ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମାଟି ପୂରା ଶୁଖିଲା । ଉତ୍ତର-ପଶ୍ଚିମରୁ ପବନ ନାହିଁ । ଦକ୍ଷିଣ-ପଶ୍ଚିମ ଦିଗରୁ ଦିଗରୁ ପବନ ଆସୁଛି । ତେଣୁ ଦକ୍ଷିଣ ଓଡ଼ିଶାରେ ଉତ୍ତର ତୁଳନାରେ ଗରମ ଅଧିକ ଅନୁଭୂତ ହୋଇପାରେ ।
Powered by Froala Editor