ଅମାନିଆ ଗାଡ଼ିଚାଳକ ହେବେ ସାବାଡ଼, ପ୍ରତିଦିନ ହେବ ଯାନବାହାନ ଧରପଗଡ଼
ଭୁବନେଶ୍ୱର : ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ଲାଗି କଠୋର ହୋଇଛି ଭୁବନେଶ୍ୱର ଟ୍ରାଫିକ୍ ପୁଲିସ। ଏଣିକି ପ୍ରତିଦିନ ଯାନବାହାନ ଧରପଗଡ଼ କରିବା ପାଇଁ ଭୁବନେଶ୍ୱର ଓ କଟକରେ ଥିବା ଟ୍ରାଫିକ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ପ୍ରାଣକୃଷ୍ଣ ରାଉତ। ରଙ୍ଗ୍ ସାଇଡ଼ ଡ୍ରାଇଭିଂ, ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର ଓ ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ପ୍ରତିଦିନ ସ୍ୱତନ୍ତ୍ର ଅଭିଯାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଟ୍ରାଫିକ୍ ଏସିପି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ଟ୍ରାଫିକ୍ ପରିଚାଳନା ସହିତ ଉପରୋକ୍ତ ରଙ୍ଗ ସାଇଡ଼ ଡ୍ରାଇଭିଂ, ଗାଡ଼ି ଚଲାଇବା ସମୟରେ ମୋବାଇଲ୍ ଫୋନ ବ୍ୟବହାରକାରୀ ଓ ମଦ୍ୟପ ଗାଡ଼ିଚାଳକଙ୍କ ଉପରେ ସ୍ୱତନ୍ତ୍ର ଭାବେ ଏନ୍ଫୋର୍ସମେଣ୍ଟ କରିବାକୁ କୁହାଯାଇଛି।
ଟ୍ରାଫିକ ଥାନା ୧ର ୬ଜଣ ଓ ଟ୍ରାଫିକ ଥାନା ୨ର ୫ଜଣ ଅଧିକାରୀଙ୍କୁ ପ୍ରତିଟି ସେକ୍ସନ ଅନ୍ୟୁନ ୩ଟି ଲେଖାଏଁ ଗାଡ଼ି ଧରିବାକୁ ଟାର୍ଗେଟ ଦିଆଯାଇଛି। ଉପରୋକ୍ତ ୪ଟି ନିୟମ ଖିଲାପକାରୀଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି। ଏହିକ୍ରମରେ ଗତ ୧ ତାରିଖ ଠାରୁ ଭୁବନେଶ୍ୱରରେ ଧରପଗଡ଼କୁ ଜୋର୍ଦାର କରାଯାଇଛି।
୧୮୫ ଏମଭି ଆକ୍ଟ ଅନୁସାରେ, ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ୨ରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜରିମାନା ଓ ୬ ମାସରୁ ଦୁଇ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି। ସେହିପରି ସିଗ୍ନାଲ ଡେଇଁଲେ ଏମଭି ଆକ୍ଟର ୧୮୪ (ଏ), ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିଲେ ଏମଭି ଆକ୍ଟର ୧୮୪(ସି) ଓ ରଙ୍ଗ ସାଇଡ଼ରେ ଗାଡ଼ି ଚଳାଇଲେ ଏମଭି ଆକ୍ଟର ୧୮୪(ଇ) ଅନୁସାରେ ଏକରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜରିମାନା ଓ ୬ ମାସରୁ ଦୁଇ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି।
Powered by Froala Editor