ବିଧାନସଭାର ବଜେଟ ଅଧିବେଶନ ଆଜିଠୁ
ଭୁବନେଶ୍ୱର : ଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାର ଶେଷ ଅଧିବେଶନ । ଏହି ଅଧିବେଶନ ୫ରୁ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ । କାର୍ୟ୍ୟ ଦିବସ ମାତ୍ର ୭ଟି ଅଛି । ୮ ତାରିଖରେ କାମ ଚଳା ବଜେଟ ଆସିବ ।
ସୋମବାର ସକାଳ ୧୧ଟା ବେଳେ ଗୃହ କାର୍ୟ୍ୟ ଆରମ୍ଭ ହେବ । ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବେ । ଏହି ଅଧିବେଶନ ପାଇଁ ରବିବାର ସନ୍ଧ୍ୟାରେ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଥିଲେ । ଗୃହ କାର୍ୟ୍ୟ ସୁପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ ବାଚସ୍ପତି ।
ବିଧାନସଭା ପାଇଁ ବିଜେଡି ବିଧାୟକ ଦଳର ରଣନୀତି ବୈଠକ ସୋମବାର ସକାଳ ୧୦ଟା ୧୫ ମିନିଟରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ । ସେହିପରି ସୋମବାର ପୂର୍ବାହ୍ନରେ ବିଜେପି ବିଧାୟକ ଦଳର ମଧ୍ୟ ବୈଠକ ରହିଛି ।
ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି କାମ କରୁଛନ୍ତି । ଏହି ପ୍ରସଙ୍ଗ ଉଠାଇ ଉଭୟ ଦଳକୁ କଂଗ୍ରେସ ଟାର୍ଗେଟ କରିବ । ଧର୍ମକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି ।
ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସବୁ ଦଳ ଗଠନମୂଳକ ପରାମର୍ଶ ଦେଇଛନ୍ତି । ସ୍ୱଳ୍ପକାଳୀନ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ।
Powered by Froala Editor