ଇଡିରେ ହାଜର ହେଲେ ତେଜସ୍ୱୀ ଯାଦବ

ପାଟନା: ବହୁ ଚର୍ଚ୍ଚିତ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଅଡ଼ୁଆରେ ବିହାରର ଯାଦବ ପରିବାର । ଗତକାଲି(ସୋମବାର) ଲାଲୁ ଯାଦବଙ୍କ ପରେ ଆଜି ତାଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପାଟନା ସ୍ଥିତ ଇଡି କାର୍ୟ୍ୟାଳୟରେ ହାଜର ହୋଇଛନ୍ତି । ୩ ଥର ସମନ ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ତେଜସ୍ବୀ ଯାଦବ । ଅନ୍ୟପଟେ କାର୍ୟ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି ।
ବିହାରରେ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଇଡି ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ୩ ଥର ସମନ ଜାରି କରିବା ପରେ ସେ ଆଜି ହାଜର ହୋଇଛନ୍ତି । ରାବଡି ଦେବୀ ବାସଭବନଠାରୁ ଇଡି କାର୍ୟ୍ୟାଳୟ ପର୍ୟ୍ୟନ୍ତ ତେଜସ୍ୱୀ ଯାଦବଙ୍କ ସମର୍ଥକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଇଡି କାର୍ୟ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀ ପ୍ରବଳ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ବିରୋଧି ନାରା ଦେଇଛନ୍ତି ।
ସୋମବାର ଦିନ ଏହି ମାମଲାରେ ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ ତେଜସ୍ବୀଙ୍କ ବାପା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଏହି ସମୟରେ ତାଙ୍କ ଝିଅ ମିଶା ଭାରତୀ ମଧ୍ୟ ତାଙ୍କ ସହ ରହିଥିଲେ । ଲାଲୁ ଯାଦବଙ୍କୁ ପାଖାପାଖି ୧୦ ଘଣ୍ଟା ଧରି ପଚରାଉଚରା କରିଥିଲେ ଇଡି ଅଧିକାରୀ । ଅନ୍ୟପଟେ ମିଶା ଭାରତୀଙ୍କୁ ଫେବ୍ରୁଆରୀ ୫ ତାରିଖରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି ।
ସୂଚନା ଯୋଗ୍ୟ, ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା ୧୪ ବର୍ଷ ପୁରୁଣା । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ୨୦୦୪ ମସିହାରୁ ୨୦୦୯ ପର୍ୟ୍ୟନ୍ତ ରେଳମନ୍ତ୍ରୀ ଥିଲେ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେରେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଥିଲା । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା
Powered by Froala Editor