“ମମି ପାପା, ମୁଁ ଜେଇଇ କ୍ଲିଅର୍ କରିପାରିବି ନାହିଁ, ତେଣୁ ଆତ୍ମହତ୍ୟା କରୁଛି

ଏପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବାର ଟିପ୍ସ ଦେଉଛନ୍ତି, ସେପଟେ ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ୧୮ ବର୍ଷ ଛାତ୍ରୀ ନିହାରିକା ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏଯାବତ୍ ଦୁଇ ଜଣ ଆତ୍ମହତ୍ୟା କଲେଣି। ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀ ଜଣକ ପରୀକ୍ଷା ହେବାର ଦୁଇ ଦିନ ପୂର୍ବରୁ ଚରମ ନିଷ୍ପତ୍ତି ନେଇଛନ୍ତି। ଜେଇଇ ମେନ୍ସ ପାଇଁ ପ୍ରସ୍ତୁତ ହେଉଥିବା ପୀଡିତା କୋଟାର ଶିଖ ନାଗରୀ ଅଞ୍ଚଳରେ ଥିବା ନିଜ ରୁମରେ ନିଜକୁ ଫାଶୀ ଦେଇଥିଲେ। ଜାନୁଆରୀ ୩୧ ରେ ତାଙ୍କର ପରୀକ୍ଷା ଅନୁଷ୍ଠିତ ହେବାର ଥିଲା।
ପୋଲିସ ଉଦ୍ଧାର କରିଥିବା ଏକ ଆତ୍ମହତ୍ୟା ନୋଟରେ ନିହାରିକା ଲେଖିଛନ୍ତି “ମମି ଏବଂ ପାପା, ମୁଁ ଜେଇଇ କରିପାରିବି ନାହିଁ। ତେଣୁ ମୁଁ ଆତ୍ମହତ୍ୟା କରୁଛି। ମୁଁ ହାରି ଯାଇଛି, ଏଥିପାଇଁ ମୁଁ ଦାୟୀ। ମୁଁ ସବୁଠାରୁ ଖରାପ ଝିଅ। ମତେ କ୍ଷମା କରିବେ ମମି ଏବଂ ପାପା। ଏହା ହେଉଛି ମୋ ପାଇଁ ଶେଷ ବିକଳ୍ପ।”
ଗତ ବର୍ଷ ମଧ୍ୟ କୋଟାରେ ଜେଇଇ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କରିଥିଲେ। ଏପରି ଘଟଣା ବାରମ୍ବାର ଘଟୁଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ। ପିଲାମାନେ କିପରି ଚାପମୁକ୍ତ ହୋଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବେ ସେଥିପାଇଁ ପରାମର୍ଶ ଦିଆଯାଇଥିଲା।
Powered by Froala Editor