ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି: ନୀତିଶ

ପାଟନା: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ । ସ୍ପଷ୍ଟ ହେଲା ନୀତିଶଙ୍କ ଆଭିମୁଖ୍ୟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଜେଡିୟୁ ମୁଖ୍ୟ । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ସମ୍ମତିପତ୍ର ପ୍ରଦାନ କରିଛନ୍ତି ନୀତିଶ । ରାଜ୍ୟରେ ଭାଙ୍ଗିଲା ଆରଜେଡି-ଜେଡିୟୁ ମେଣ୍ଟ ସରକାର । ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଜେଡିୟୁ-ଏନଡିଏ ମେଣ୍ଟ ସରକାର । ଦ୍ବିତୀୟ ଥର ଲାଗି ଏହି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ।
ଇସ୍ତଫା ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ଆଜି ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ରାଜ୍ୟରେ ଜେଡିୟୁ-ଆରଜେଡି ସରକାର ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ମଧ୍ୟ କହିଛି । ସବୁକିଛି ଠିକ୍ ନ ଥିବାରୁ ଏହି ପରିସ୍ଥିତି ଆସିଛି । ଇସ୍ତଫା ପୂର୍ବରୁ ମୁଁ ସମସ୍ତଙ୍କ ଠାରୁ ମତାମତ ନେଇଥିଲି । ଆଜି ରାଜ୍ୟରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର ପତନ ହୋଇଛି ।
ଆଜି ସକାଳ ୧୦ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ବସିଥିଲା । ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ବିଧାୟକଙ୍କ ସହମତି ଲୋଡିଥିଲେ ନୀତିଶ । ବୈଠକରେ ପାଖାପାଖି ୨୦ ମିନିଟ ଧରି ଆଲୋଚନା ହେବା ପରେ ରାଜଭବନ ଅଭିମୁଖେ ବାହାରିଥିଲେ ନୀତିଶ । ଏହାପରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରି ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଥିଲେ । ରାଜ୍ୟପାଳ ଇସ୍ତଫା ପତ୍ରକୁ ଗ୍ରହଣ କରିଥିଲେ । ୭୨ ବର୍ଷୀୟ ରାଜନେତା ନୀତିଶ କୁମାର ଆଜି (ରବିବାର) ଅପରାହ୍ନ ୪ଟା ସମୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ବିହାର ବିଧାନସଭାରେ ମୋଟ ୨୪୩ଟି ଆସନ ରହିଛି । ସେଥି ମଧ୍ୟରୁ ଆରଜେଡି ପାଖରେ ୭୯ ବିଧାୟକ, ବିଜେପିର ୭୮, ଜେଡିୟୁର ୪୫, କଂଗ୍ରେସ ୧୯, ସିପିଆଇ (ଏମ-ଏଲ) ୧୨ ରହିଛି । ଆଜି ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବେ ବୋଲି କୁହାଯାଉଛି ।
Powered by Froala Editor