ପରୀକ୍ଷା ଚାପରୁ ମୁକ୍ତି ପାଇବେ ଛାତ୍ରଛାତ୍ରୀ: ସିବିଏସ୍ଇ ପାଠ୍ୟକ୍ରମରେ ହେବ ପରିବର୍ତ୍ତନ
ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ସିବିଏସ୍ଇ ପାଠ୍ୟକ୍ରମରେ ଏକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୨୪-୨୫ ଶିକ୍ଷା ବର୍ଷରେ ସିବିଏସ୍ଇ ଦଶମ ଓ ଦ୍ବାଦଶରେ ଦୁଇ ଥର ବୋର୍ଡ ପରୀକ୍ଷା ଆୟୋଜିତ ହେବ। ମାତ୍ର ଏହି ପରୀକ୍ଷା ବାଧ୍ୟତାମୂଳକ ନୁହେଁ। ଚଳିତବର୍ଷ ନଭେମ୍ବର-ଡିସେମ୍ବର ମାସରେ ଗୋଟିଏ ବୋର୍ଡ ଓ ୨୦୨୫ ଫେବ୍ରୁଆରି-ମାର୍ଚ୍ଚରେ ଦ୍ବିତୀୟ ବୋର୍ଡ ପରୀକ୍ଷା କରାଯିବ। ଏହି ଦୁଇ ପରୀକ୍ଷାର ଶ୍ରେଷ୍ଠ ମାର୍କକୁ ଫଳାଫଳ ପାଇଁ ବିଚାର କରାଯିବ। ସେହି ଅନୁଯାୟୀ ମେଧା ତାଲିକା ପ୍ରକାଶ ପାଇବ। ୨୦୨୧ ମସିହାରେ କୋଭିଡ୍ ପାଇଁ ସିବିଏସ୍ଇ ଯଦିଓ ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରିଥିଲା, ମାତ୍ର ତାହା ୨୦୨୪-୨୫ ପରୀକ୍ଷା ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ। ଗତବର୍ଷ ଏକ ସାକ୍ଷାତକାର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪-୨୫ ଶିକ୍ଷା ବର୍ଷରେ ଦୁଇଟି ବୋର୍ଡ ପରୀକ୍ଷା ନେଇ ମତ ରଖିଥିଲେ। ତେଣୁ ୨୦୨୫ର ଦଶମ ଓ ଦ୍ବାଦଶ ବୋର୍ଡ ଏହି ଫର୍ମାଟ୍ରେ କରାଯିବ। ଏ ଦୃଷ୍ଟିରୁ ବର୍ତ୍ତମାନ ନବମ ଓ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ଏହି ଫର୍ମାଟ୍ ଛାତ୍ରଛାତ୍ରୀଙ୍କ ଉପରୁ ପରୀକ୍ଷା ଜନିତ ଚାପ ହଟାଇବା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀ ଗୋଟିଏ ବୋର୍ଡରେ ନିଜର ଠିକ୍ ମାର୍କ ରହିବ ବୋଲି ଭାବନ୍ତି ତାହାଲେ ସେ ଦ୍ବିତୀୟ ବୋର୍ଡ ପରୀକ୍ଷା ନ ଦେଲେ ବି ଚଳିବ। ଗତବର୍ଷ ସମୁଦାୟ ୩୮.୮୨ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇରେ ପରୀକ୍ଷା ଦେଇଥିଲେ। ଦଶମରେ(୨୧.୮୬ଲକ୍ଷ) ଓ ଦ୍ବାଦଶ(୧୬.୯୬ଲକ୍ଷ) ପରୀକ୍ଷାର୍ଥୀ ରହିଥିଲେ।
Powered by Froala Editor