ଡାକ୍ତରଙ୍କୁ ଗୋଲ ଗୋଲ ଅକ୍ଷରରେ ଲେଖିବାକୁ ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ପ୍ରେସକ୍ରିପସନ ଅବା ଡାକ୍ତରଖାନାରେ ଅନ୍ୟ କିଛି ଲେଖିବା ବେଳେ ପରିସ୍କାର ତଥା ଗୋଲ ଗୋଲ ଅକ୍ଷରରେ ଲେଖିବାକୁ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏଭଳି ନୋଟିସ ପ୍ରକାଶ ପାଇଛି । ଡାକ୍ତରୀ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟଭାବେ ଲେଖିବା ସମ୍ପର୍କିତ ନୋଟିସ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶ ପାଇଛି । କ୍ୟାପିଟାଲ ଲେଟର, ଟାଇପ କିମ୍ବା ଗୋଲ ଗୋଲ ଲେଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଲେଖା ଏମିତି ହେବା ଦରକାର ଯେମିତି କିିିଛି ସଂଶୟ ଉପୁଜୁନଥିବ ବୋଲି ଉକ୍ତ ନୋଟିିସରେ ଉଲ୍ଲେଖ ରହିଛି ।
ପ୍ରକାଶ ଯେ ସ୍ପଷ୍ଟ ଅକ୍ଷରରେ ଡାକ୍ତର ଲେଖିବେ ପ୍ରେସକ୍ରିପସନ । ଏନେଇ ଏନେଇ ସବୁ ଡାକ୍ତରଖାନା, କ୍ଲିନିକ, ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ । ଏଣିକି ସମସ୍ତେ ପଢ଼ି ପାରୁଥିବା ପରି ଅକ୍ଷର ଲେଖିବେ ଡାକ୍ତର। ଯାହା ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ ।
ସେହିପରି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଅନିଶ୍ଚିତ ଭାବେ ଡାକ୍ତର ଲେଖିବା ଦ୍ବାରା ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅତି ବିପଦଜନକ ଭାବେ ପ୍ରଭାବିତ ହୋଇଥାଏ ବୋଲି ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ । ଏଭଳି ଅକ୍ଷର ପଢ଼ିବା ଓ ଏକ ନିର୍ଦ୍ଦିଷ୍ଟ ଉପନୀତିରେ ପହଞ୍ଚିବା କ୍ଷେତ୍ରରେ ବିଚାର ବ୍ୟବସ୍ଥା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ଏଭଳି ସ୍ଥିତିରେ ଚିକିତ୍ସା-ଆଇନ ସମ୍ବନ୍ଧୀୟ ଘଟଣା ସହିତ ଜଡ଼ିତ ହେଉଥିବା ତଥା ବହୁତ ଖରାପ ଅକ୍ଷର ଲେଖୁଥିବା ଡାକ୍ତର ନିଜ ଦୃଷ୍ଟିଭଙ୍ଗୀରେ ପରବର୍ତ୍ତନ କରିବା ଦରକାର ବୋଲି କୋର୍ଟ କହିଥିଲେ। ସେମାନେ ବଡ଼ ଅକ୍ଷରରେ ବା ଟାଇପ ପଦ୍ଧତିରେ ବା ଭଲ ହସ୍ତାକ୍ଷରରେ ଲେଖିବା ଆବଶ୍ୟକ । ଯାହାଦ୍ବାରା ହାତଲେଖା ପଢ଼ିବା ବେଳେ ଅଯଥା ସମୟ ନଷ୍ଟ ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ଡକ୍ଟର ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ ।
Powered by Froala Editor