ଶ୍ୱାସରୁଦ୍ଧ ହୋଇ ୫ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅମରୋହା ଜିଲାର ସେଦନଗଲୀ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ବନ୍ଦ କକ୍ଷରେ କୋଇଲା ଜାଳି ଶୋଇଥିବା ସମୟରେ ୩ ଭାଇ ଭଉଣୀଙ୍କ ସହ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ମହିଳା ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣା କ୍ରମେ, ଅମରୋହାର ସେଦନଗଲୀ ଥାନା ଅଞ୍ଚଳରେ ଅଲ୍ଲୀପୁର ନିବାସୀ ଜଣେ ଟ୍ରକ ଚାଳକଙ୍କ ଘରେ ଦିନ ଯାକ ପାଞ୍ଚ ଜଣଙ୍କ ମୃତଦେହ ପଡିରହିଥିଲା। କେହି ମଧ୍ୟ ଘଟଣା ବିଷୟରେ ଜାଣି ପାରିନଥିଲେ। ଟ୍ରକ ଚାଳକ ଜଣଙ୍କ ନିଜ ଘରକୁ ଫୋନ୍ କରିଥିଲେ ମାତ୍ର କେହି ଫୋନ୍ ଉଠାଇନଥିଲେ।
ଏହାପରେ ସେ ନିଜ ସାନ ଭାଇଙ୍କୁ ଫୋନ୍ କରି କହିଥିଲେ, ତାଙ୍କ ସାନ ଭାଇ ଘରକୁ ଯାଇଥିଲେ ମଧ୍ୟ କେହି କବାଟ ଖୋଲିନଥିଲେ। ଏହାପରେ ଲୋକେ ଏକାଠି ହେବା ସହ ଘର ଭିତରକୁ ଅନ୍ୟ ଛାତ ବାଟେ ଯାଇଥିଲେ। ସମସ୍ତଙ୍କୁ ଅଚେତ୍ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣା ବିଷୟେରେ ଖବର ପାଇ ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା।
ସୂଚନାନୁଯାୟୀ, ଶୀତରୁ ରକ୍ଷା ପାଇବା ପାଇଁ ଉକ୍ତ ପରିବାର ଘରେ କୋଇଲା ଜଳାଇଥିଲେ। ସମସ୍ତଙ୍କ ଶୋଇଥିବା ଅବସ୍ଥାରେ ହିଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Powered by Froala Editor