୪ ବର୍ଷର ପୁଅକୁ ମାରିଦେଲା ସିଇଓ ମା’

ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନିଜର ୪ ବର୍ଷର ପୁଅକୁ ଜଣେ ମା’ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ତାଙ୍କ ବାପାଙ୍କୁ ଭେଟନ୍ତୁ। ଅଭିଯୁକ୍ତ ମା’ଙ୍କୁ ସୋମବାର ପୋଲିସ ଗିରଫ କରିଛି।
ସୂଚନା ସେଥ ନାମକ ଅଭିଯୁକ୍ତ ମହିଳା ଜଣଙ୍କ ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପରେ ସିଇଓ ଭାବରେ କାର୍ଯ୍ୟ କରନ୍ତି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମହିଳା ଏହି ଭୟଙ୍କର ଅପରାଧ କରିଛନ୍ତି ଯାହା ଫଳରେ ତାଙ୍କ ପୁଅ ତାଙ୍କ ପୂର୍ବ ସ୍ବାମୀଙ୍କୁ ଭେଟି ପାରିବେ ନାହିଁ। ୨୦୧୦ରେ ସୂଚନା ବିବାହ କରିଥିଲେ। ୨୦୧୯ରେ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ସ୍ବାମୀଙ୍କ ସହ ବିବାଦ ପରେ ୨୦୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ଶିଶୁର ପିତା ତାଙ୍କୁ ପ୍ରତି ରବିବାର ଭେଟି ପାରିବେ। ସୂଚନା ଏହାକୁ ନେଇ ଆଦୌ ଖୁସି ନ ଥିଲେ।
ସୂଚନା ପ୍ରଥମେ ଗୋଆ ସ୍ଥିତ ସର୍ଭିସ ଆପାର୍ଟମେଣ୍ଟରେ ୪ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ନିଜ ବାମ ହାତର ରିଷ୍ଟକୁ କାଟି ଦେଇଥିଲେ। ତେବେ କିଛି ରକ୍ତ ବାହାରିବା ପରେ ସେ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏହାପରେ ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ବେଙ୍ଗାଲୁରୁ ବାହାରି ଯାଇଥିଲେ। ବେଙ୍ଗାଲୁରୁ ଯିବା ପାଇଁ ସେ ୩୦ ହଜାର ଟଙ୍କା ଦେଇ ଗୋଟିଏ କାର ମଧ୍ୟ ବୁକ କରିଥିଲେ । ବେଙ୍ଗାଲୁରୁକୁ ପଳାଇ ଯାଉଥିବା ବେଳେ କର୍ନାଟକ ପୋଲିସ ଗିରଫ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଉତ୍ତେଜନା ଲାଗି ରହିଛି।
Powered by Froala Editor