ଏପ୍ରିଲ ୩ରେ ସାରିବ ୩ ସାଂସଦଙ୍କ କାର୍ଯ୍ୟକାଳ, ଜାଣନ୍ତୁ କିଏ ?
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୩ ତାରିଖରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ବିଜେଡି ସହଯୋଗରେ ନିର୍ବାଚନ ଜିତିଥିବା ବିଜେପି ସାଂସଦ ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର କାର୍ୟ୍ୟକାଳ ଶେଷ ହେବ। ଏହି ତିନି ଆସନ ପାଇଁ ଆସନ୍ତା ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନିର୍ବାଚନ ହେବ। ବିଜେଡିର ଗୋଟିଏ ମହଲର ମତ ହେଉଛି, ଏହି ତିନିଜଣଙ୍କ ମଧ୍ୟରୁ କୌଣସି ନେତାଙ୍କୁ ରାଜ୍ୟସଭାକୁ ଆଉଥରେ ପଠାଯିବା ସମ୍ଭାବନା କ୍ଷୀଣ। ବିଜେପିକୁ ସମର୍ଥନ ଦେଇ ଯେଭଳି ଅଶ୍ବିନୀଙ୍କୁ ପଠାଯାଇଥିଲା, ତାହାର ମଧ୍ୟ ପୁନରାବୃତ୍ତି ନ ହୋଇପାରେ। ବର୍ତ୍ତମାନ ଓଡ଼ିଶାର ୧୦ ରାଜ୍ୟସଭା ଆସନ ମଧ୍ୟରୁ ୯ଜଣ ବିଜେଡିର ଅଛନ୍ତି। ନବୀନ କେନ୍ଦ୍ରରେ ତାଙ୍କ ମତକୁ ଅଧିକ ଦୃଢ଼ କରିବା ପାଇଁ ସମସ୍ତ ୧୦ ଆସନକୁ ହାତରେ ରଖିବାକୁ ଚାହିଁବେ। ରାଜନୈତିକ ଗଣିତକୁ ଦେଖିଲେ, ଏବେ ସୁଲତା ଦେଓ ଓ ମମତା ମହାନ୍ତ ଦୁଇଜଣ ମହିଳା ରାଜ୍ୟସଭାରେ ସଦସ୍ୟ ଅଛନ୍ତି। ୩୩% ସଂରକ୍ଷଣ ରାଜ୍ୟସଭାରେ ଲାଗୁ ହେବନାହିଁ। ତଥାପି ନବୀନ ଯଦି ଏ କ୍ଷେତ୍ରରେ ଆଗୁଆ ରହିବାକୁ ଚାହାନ୍ତି, ତେବେ ଆଉ ଜଣେ ମହିଳାଙ୍କୁ ସୁଯୋଗ ଦେଇପାରନ୍ତି। ଅନ୍ୟପଟରେ ପଶ୍ଚିମ ଓଡ଼ିଶାର ଦୁଇ ନେତା ସୁଜିତ୍ କୁମାର ଓ ନିରଞ୍ଜନ ବିଶି ଏବେ ରାଜ୍ୟସଭାରେ। ଦୁଇଟି ଭିନ୍ନ ସଂପ୍ରଦାୟରୁ ମୁନ୍ନା ଖାଁ ଓ ସସ୍ମିତ ପାତ୍ର ମଧ୍ୟ ବିଜେଡିକୁ ପ୍ରତିନିଧିତ୍ବ କରୁଛନ୍ତି। ସେହିଭଳି ଉତ୍ତର ଓଡ଼ିଶାରୁ ମମତା ମହାନ୍ତ (କୁଡ଼ୁମୀ ଜାତି) ଏବଂ ଅନୁସୂଚିତ ଜନଜାତି ବର୍ଗକୁ ନିରଞ୍ଜନ ପ୍ରତିନିଧିତ୍ବ କରୁଛନ୍ତି।ଏଣୁ ପ୍ରାର୍ଥିତ୍ବ ନେଇ ବିଜେଡି ପାଖରେ ସେଭଳି କୌଣସି ଚାପ ଆଉ ନାହିଁ। ଅତଏବ ଭାରସାମ୍ୟ ରକ୍ଷା ପାଇଁ ଅବିଭକ୍ତ ଗଞ୍ଜାମ ଜିଲ୍ଲାରୁ ଜଣେ କେହି ପ୍ରାର୍ଥୀ ହେଲେ ଆଶ୍ଚର୍ୟ୍ୟ ହେବାର ନାହିଁ। ଏମିତି ବି ହୋଇପାରେ ଯେ ଦଳକୁ ଷଷ୍ଠଥର କ୍ଷମତାକୁ ଆଣିବା ଲାଗି ଯେଉଁ ବର୍ଗ ବା ବ୍ୟକ୍ତି ବା ସମୁଦାୟର ବଡ଼ ଭୂମିକା ରହିବ, ସେମାନଙ୍କୁ ନବୀନ ପ୍ରାଥମିକତା ଦେଇପାରନ୍ତି।
ଆଉ ଗୋଟିଏ ମହଲର ଯୁକ୍ତି ହେଲା- ଅନେକ ନେତାଙ୍କୁ ପୂର୍ବରୁ ନବୀନ ରାଜ୍ୟସଭା ମୁଆଁ ଦେଇଥିଲେ। କୌଣସି କାରଣରୁ ଏହା ପ୍ରତିଶ୍ରୁତିରେ ଅଟକିଛି। ଏଣୁ ସେମାନଙ୍କ ମଧ୍ୟରୁ କାହାକୁ ପଠାଗଲେ ବି କେହି ଆଶ୍ଚର୍ୟ୍ୟ ହେବେ ନାହିଁ। ଅନ୍ୟପଟରେ ଏଥର ଖାଲିହେଉଥିବା ୩ଟି ଆସନ ଲାଗି ଗଣିତ ହେଉଛି ଏମିତି- ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ଏବେ ବିଜେଡିର ୧୧୩ ବିଧାୟକ ଅଛନ୍ତି। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଛି। ପୂର୍ବତନ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଆସନଟି ଖାଲି ପଡ଼ିଛି। ବିଜେପିର ୨୨ ଓ କଂଗ୍ରେସର ୯ଟି ସଦସ୍ୟ ଅଛନ୍ତି।ଏମାନଙ୍କ ଛଡ଼ା ଜଣେ ବାମଦଳ ଏବଂ ଅନ୍ୟ ଜଣ ସ୍ବାଧୀନ ସଭ୍ୟ ଅଛନ୍ତି।
ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସୁତରାଂ ଦୁଇ ବହିଷ୍କୃତ ବିଧାୟକଙ୍କୁ ବାଦ୍ ଦେଲେ ଓ ଜଣେ ବିଧାୟକଙ୍କୁ ହରାଇଥିବାରୁ ଆଉ ମାତ୍ର ଜଣକର ସମର୍ଥନ ନେଲେ ଅକ୍ଳେଶରେ ତିନିଟି ଯାକ ଆସନ ବିଜେଡି ଅକ୍ତିଆର କରିପାରିବ। ଏ ପରିପ୍ରେକ୍ଷୀରେ ସ୍ବାଧୀନ ବିଧାୟକଙ୍କ ଭୋଟ ବିଜେଡି ସପକ୍ଷରେ ଯିବାର ସମ୍ଭାବନା ଯଥେଷ୍ଟ ଅଧିକ।
Powered by Froala Editor