କର୍ତ୍ତବ୍ୟ ପଥରେ ଅର୍ଜୁନ ପୁରସ୍କାର ଛାଡି ଫେରିଗଲେ ଭିନେଶ
ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ୍ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଶନିବାର ସେ ପୁରସ୍କାର ଓ ପଦକ ଦିଲ୍ଲୀର କର୍ତ୍ତବ୍ୟ ପଥରେ ରଖି ଘରକୁ ଫେରିଯାଇଥିଲେ। ଭିନେଶ ତାଙ୍କର ଆୱାର୍ଡ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଯାଉଥିଲେ ସେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ଭିନେଶ ତାଙ୍କର ଅର୍ଜୁନ ପୁରସ୍କାର କର୍ତ୍ତବ୍ୟ ପଥରେ ଛାଡି ଚାଲି ଆସିଥିଲେ। ଭିନେଶଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ତାଙ୍କର ପଦ୍ମଶ୍ରୀ ଆୱାର୍ଡ ଫେରାଇ ଦେଇଥିଲେ।
ପୁରସ୍କାର ଫେରାଇବା ପୂର୍ବରୁ ଭିନେଶ ଫୋଗାଟ କହିଛନ୍ତି ଯେ ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତିଯୋଦ୍ଧାମାନେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।
ଫୋଗଟ ତିନି ଦିନ ତଳେ ପୁରସ୍କାର ଫେରସ୍ତ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଯୁବ କଂଗ୍ରେସ ଏହି ଘଟଣାକୁ ଦେଶ ପାଇଁ ଲଜ୍ଜାଜନକ ଦିନ ବୋଲି ବର୍ଣ୍ଣନା କରିଛି। ଯୁବ କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛି, ‘‘ଦେଶ ପାଇଁ ଲଜ୍ଜାର ଦିନ । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ପରେ ଭିନେଶ ଫୋଗାଟ ତାଙ୍କ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ରଖିଛନ୍ତି। ପିଏମ ମୋଦୀ ଏବଂ ତାଙ୍କ ସରକାର ସେମାନଙ୍କୁ ଏତେ ନିର୍ଯାତନା ଦେଇଛନ୍ତି ଯେ ସେମାନେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।’’
ସୂଚନାଯୋଗ୍ୟ ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନରେ ବ୍ରିଜଭୁଷଣ ସିଂହଙ୍କ ନିକଟତମ ସଞ୍ଜୟ ସିଂହ ବିଜୟ ଲାଭ କରିଥିଲେ। ଏହାକୁ ନେଇ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ସମେତ ଅନ୍ୟ କୁସ୍ତିଯୋଦ୍ଧା ଅସନ୍ତୋଷ ପ୍ରକାଶ କରିଥିଲେ।
Powered by Froala Editor