୨ ଯାଏଁ ରାଜ୍ୟରେ ରହିବ ଶୁଖିଲା ପାଗ
ଭୁବନେଶ୍ବର : ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ୩-୪ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ୨୮ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ୨୭ ତାରିଖ ସକାଳ ଯାଏଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଏନେଇ ହଳଦିଆ ସତର୍କତା ଜାରି ହୋଇଛି। ସେହିପରି ୨୮ ତାରିଖ ସକାଳ ଯାଏଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ନେଇ ହଳଦିଆ ସତର୍କତା ଜାରି ହୋଇଛି।
ଅନ୍ୟପକ୍ଷରେ ଆସନ୍ତା ୨୮ ତାରିଖ ସକାଳ ଯାଏଁ ୧୭ ଜିଲାକୁ ଘନକୁହୁଡ଼ି ନେଇ ହଳଦିଆ ସତର୍କତା ଜାରି ହୋଇଛି।ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ, ୧୦ ଡିଗ୍ରୀ ତଳେ ରାଜ୍ୟର ତିନିଟି ସ୍ଥାନର ରାତି ତାପମାତ୍ରା ରେକର୍ଡ଼ ହୋଇଛି। କୋରାପୁଟରେ ସବୁଠୁ କମ୍ ୭ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି। ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ ଏବଂ ସେମିଳିଗୁଡ଼ାରେ ୯ ଡିଗ୍ରୀ ରହିଛି। ଭୁବନେଶ୍ବରରେ ୧୬.୯ ଏବଂ କଟକରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ଆଜି ରାଉରକେଲାରେ ଅତି ଘନକୁହୁଡ଼ି ଦୃଶ୍ୟମାନ ହୋଇଛି।
ଏଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳେ ରହିଛି। ଫୁଲବାଣୀ, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା ଏବଂ ପାରାଦ୍ବୀପରେ ଘନକୁହୁଡ଼ି ଦେଖାଯାଇଛି। ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ତଳେ ରହିଛି। କୋରାପୁଟ, ଭବାନୀପାଟଣା, ଝାରସୁଗୁଡ଼ା, କେନ୍ଦୁଝର ଏବଂ ଭୁବନେଶ୍ବରରେ କୁହୁଡ଼ି ଦେଖାଯାଇଛି।
Powered by Froala Editor