ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୫ ମୃତ
ନୂଆଦିଲ୍ଲୀ: ସଂସାର ଉଜାଡ଼ି ଦେଲା ସଡ଼କ ଦୁର୍ଘଟଣା । ଖ୍ରୀଷ୍ଟମାସରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ ଗୋଟିଏ ପରିବାରର ୫ ସଦସ୍ୟ । ନାଲଗୋଣ୍ଡା ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଦୁଃଖଦ ଘଟଣା । ଗତକାଲି(ରବିବାର) ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାସ୍ଥଳକୁ ଯିବା ସମୟରେ ଆଜି(ସୋମବାର) ସଡ଼କ ଦୁର୍ଘଟଣାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ହେଲେ କେସାଭୁଲୁ (୨୮), ରାମଓ୍ବାତ ଗାନିଆ (୪୦), ନାଗରାଜୁ (୨୮), ପାଣ୍ଡ୍ୟା (୪୦) ଏବଂ ବୁଜି (୩୮) । ଫଳରେ ୨୪ ଘଣ୍ଟା ମଧ୍ୟରେ ଆଗପଛ ହୋଇ ଗୋଟିଏ ପରିବାରର ୫ଜଣ ଆରପାରିକୁ ଚାଲି ଯାଇଛନ୍ତି ।
ସୂଚନାଅନୁସାରେ, ଗତକାଲି(ରବିବାର) ବିଳମ୍ବିତ ରାତିରେ କେସାଭୁଲୁ(୨୮) ଏକ ବାଇକ ଯୋଗେ ମିରିଆଲାଗୁଡାଠାରୁ ପେଡଭୁରା ଅଭିମୁଖେ ଯାଉଥିବାବେଳେ ସାଇଲୁଡୁ(୫୫) ନାମକ ଏକ ପଥଚାରୀଙ୍କ ସହ ଧକ୍କା ହୋଇଥିଲା। ନିଦାମାନୁରର ଭେମ୍ପାଡୁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଉଭୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।
ତେବେ ଏହି ସଡକ ଦୁର୍ଘଟଣା ବିଷୟରେ ଶୁଣି କେସାଭୁଲୁଙ୍କ ପରିବାରର ୭ଜଣ ସଦସ୍ୟ ଏକ ଟାଟା ଏସି ଯୋଗେ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ । ତେବେ ଆଜି(ସୋମବାର) ଭୋର ସମୟରେ ରାସ୍ତାରେ ଟାଟା ଏସିକୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳ ପହଞ୍ଚିବାରୁ ଆଉ ମାତ୍ର ୫୦୦ ମିଟର ରହିଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ରାମଓ୍ବାତ ଗାନିଆ(୪୦), ନାଗରାଜୁ(୨୮), ପାଣ୍ଡ୍ୟା(୪୦) ଏବଂ ବୁଜି(୩୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମଧ୍ୟ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor